ଏଣିକି ଡିସେମ୍ବର ୩୧ ତାରିଖକୁ ‘ବିଶ୍ଵ ଛେନାପୋଡ଼ ଦିବସ’ ଭାବେ ପାଳନ କରାଯିବ। ଏହାର ସ୍ରଷ୍ଟା ତଥା ଦଶପଲ୍ଲା ଜରିପାଟଣା ଅଞ୍ଚଳର ସ୍ଵର୍ଗତ ବିଦ୍ୟାଧର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ବିଭିନ୍ନ ସ୍ଥାନରେ ଏହା ପାଳିତ ହୋଇଯାଇଛି। ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘ ପରିସରରେ ସମ୍ପାଦକ ଭବାନୀ ଶଙ୍କର ସିଂହସାମନ୍ତଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ମାନେ ଛେନାପୋଡ କାଟି ଦିବସ ପାଳନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଡିଓ ଅଙ୍କୁର ଅଭିଳାଷ, ମୁଖ୍ୟବକ୍ତା ଭାବେ ସମାଜସେବୀ ତଥା ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ପ୍ରମୋଦ ପଟ୍ଟନାୟକ, ସଂଘର ସଭାପତି ବିନାୟକ ମିଶ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ।
ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନାପୋଡ଼ ପଛରେ ଦଶପଲ୍ଲା ଅବଦାନ ରହିଥିବା ସୂଚନା ମିଳିଛି। ଶାନ୍ତିଶେଖର ରଥ, ଭବାନୀ ଶଙ୍କର ମହାନ୍ତି, ସତ୍ୟନାରାୟଣ ସୁରଜଗଦେବ, ବୀରଞ୍ଚି କୁମାର ନାୟକ, ରମାକାନ୍ତ ମିଶ୍ର, ରବୀନ୍ଦ୍ର ବେହେରା, ମାନସ କୁମାର ସେଠୀ ପ୍ରମୁଖ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଆସନ୍ତାବର୍ଷ ଠାରୁ ବର୍ଷର ଅନ୍ତିମ ଦିବସକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯିବା ସହିତ ଏହାକୁ କିଭଳି ଜିଆଇ ମାନ୍ୟତା ମିଳିପାରିବ ସେ ଦିଗରେ ଉଦ୍ୟମ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି କରାଯାଇଥିଲା।