ଖଣ୍ଡପଡା ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଅଧ୍ୟକ୍ଷା ଉପମା ବେହେରା, ବିଡିଓ ଅଙ୍କୁର ଅଭିଳାଷ ଅତିଥି ଭାବେ ଉପସ୍ଥିତ ରହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ଶିବିରରେ ବ୍ଲକ ଅନ୍ତର୍ଗତ ୨୨ ଗୋଟି ପଞ୍ଚାୟତର ୨୮୬ ଜଣ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇଥିବା ବ୍ଲକ ସାମାଜିକ ସୁରକ୍ଷା ବିଭାଗ ସୂଚନା ଦେଇଛନ୍ତି। ଅସ୍ଥିଶଲ୍ୟ ବିଭାଗରେ ୧୩୪ଜଣ, ଦୃଷ୍ଟିବାଧିତ ବିଭାଗରେ ୨୬ଜଣ, ମାନସିକ ଅନଗ୍ରସର ବିଭାଗରେ ୫୩ ଜଣ, ଶ୍ରବଣ ଓ ବାକବାଧିତ ବିଭାଗରେ ୫୦ ଜଣ, ଭେଷଜ ଓ ଅନ୍ୟାନ୍ୟ ବିଭାଗରେ ୧୯ ଏହିପରି ମୋଟ ୨୮୬ ଜଣ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଆବେଦନ କରିଥିବା ସୂଚନା ରହିଛି। ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଭାଗରୁ ଡା ବି ଏସ ରାଓ ଏବଂ ଲୋଚନ କାଟା, ମେଡ଼ିସିନ ବିଭାଗରୁ ଡା ସିଦ୍ଧାର୍ଥ ଦାଶ ଏବଂ ଶ୍ରବଣ ବିଭାଗରୁ ନିଷ୍ଠାରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ରହିବା ସହ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ କାଉଣ୍ଟର ମାଧ୍ୟମରେ ପଞ୍ଜୀକରଣ ସହ ବିଭିନ୍ନ ବିଭାଗ ନିମନ୍ତେ ସ୍ଵତନ୍ତ୍ର ପ୍ରକୋଷ୍ଠରେ ଡାକ୍ତରଙ୍କ ଦ୍ଵାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଶିବିରକୁ ବ୍ଲକ ପ୍ରଶାସନର କନିଷ୍ଠ ଯନ୍ତ୍ରୀ, ପିଇଓ, ଜିଆରଏସ ମାନେ ପରିଚାଳନା କରିଥିବା ବେଳେ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ସହଯୋଗ କରିଥିଲେ। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇସାଇକେଲ, ହୁଇଲ ଚେୟାର ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣର ତାଲିକା କରାଯାଇଥିବା ବେଳେ ଖୁବଶୀଘ୍ର ଏହାକୁ ପ୍ରଦାନ କରାଯିବ ବୋଲି ବ୍ଲକ ସାମାଜିକ ସୁରକ୍ଷା ସହାୟକ ସୁନୀଲ କୁମାର ନିଶଙ୍କ ସୂଚନା ଦେଇଛନ୍ତି।