ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆ ବ୍ଳକରେ ଥିବା ଏକମାତ୍ର ଇଂରାଜୀ ମିଡିୟମ ମହାନଦୀ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ପୂର୍ବାହ୍ନ ଦଶ ଘଟିକା ସମୟରେ ସ୍ଥାନୀୟ ମଙ୍ଗଳମ୍ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ପ୍ରାଧିକରଣ ସେବାର ସମ୍ପାଦକ ଅଞ୍ଜଳି ମଛଖଣ୍ଡ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ନନ୍ଦକିଶୋର ମିଶ୍ର, ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ,ମହାନଦୀ ପବ୍ଲିକ ସ୍କୁଲର ସମ୍ପାଦକ ପଙ୍କଜ କୁମାର ସାହୁ, ଅଧ୍ୟକ୍ଷ ମହେନ୍ଦ୍ର କୁମାର ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟାଳୟ ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟକ୍ଷ ବିବରଣୀ ପଠନ କରିଥିଲେ । କୁନି କୁନି କଳାକାର ମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ମାନଙ୍କ ସହିତ ମିଶି ଖେଳ, ସଙ୍ଗୀତ ପରିବେଷଣ କରିବା ସହିତ ଭଲ ପାଠ ପଢି ବିଦ୍ୟାଳୟର ନାଁ ରଖିବାକୁ ପରାମର୍ଶ ଦେଇଥିଲେ । ଅଭିଭାବକ ମାନେ ନିଜର ଆଚରଣ ଉଚ୍ଚାରଣରେ ଉନ୍ନତି ଆଣିଲେ ପିଲାମାନେ ମଧ୍ୟ ଏଥିରୁ କିଛି ଶିଖି ପାରିବେ ବୋଲି ମୁଖ୍ୟବକ୍ତା ମତ ଦେଇଥିଲେ । ବିଦ୍ୟାଳୟ ଆମକୁ ସୁଯୋଗ ଦେଇଛି ନିଜକୁ ଗଢ଼ି ତୋଳିବା ଆଉ ନିଜର ଶିକ୍ଷକ ମାନଙ୍କର ସ୍ବପ୍ନକୁ ସାକାର କରିବା ବୋଲି ସେ ପ୍ରକାଶ କରିଥିଲେ ।

ଶିକ୍ଷା ହିଁ ଛାତ୍ର ଛାତ୍ରୀ ମାନଙ୍କର ପ୍ରଥମ ସମ୍ପତ୍ତି ବୋଲି ଅନ୍ୟତମ ଅତିଥି ନନ୍ଦକିଶୋର ମିଶ୍ର ପ୍ରକାଶ କରିଥିଲେ । ଏ ଅନୁଷ୍ଠାନର ଉନ୍ନତି ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସେ ପ୍ରତିଶୃତି ଦେଇଥିଲେ ।ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ ବିଦ୍ୟାଳୟକୁ ସଦାସର୍ବଦା ସହଯୋଗର ହାତ ବଢ଼ାଇଥିବାରୁ ସମ୍ପାଦକ ଶ୍ରୀ ସାହୁ ଉଭୟଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ବିଦ୍ୟାଳୟ ତରଫରୁ ବାର୍ଷିକ ଉତ୍ସବ ଅବସରରେ ଡାକ୍ତର ପ୍ରଭାକର ଦାଶ, ସାମନ୍ତରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡା,ମଣିଭଦ୍ରା ଖବରର ମୁଖ୍ୟ ସମ୍ପାଦକ ଦେବୀ ପ୍ରସାଦ ଦାଶ,ଗଣିଆ ସାମ୍ବାଦିକ ସଂଘର ସଭାପତି ବିଶ୍ବରଞ୍ଜନ ସେଠୀ, ସ୍ବେଚ୍ଛାସେବୀ ବ୍ରଜ କିଶୋର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଅବକାଶ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।