ନୟାଗଡ଼,୫/୧: ସଙ୍ଗୀତଧାରା ନୟାଗଡ଼ ପକ୍ଷରୁ ଆୟୋଜିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଆଜି ଅନୁଷ୍ଠିତ ସେମି ଫାଇନାଲରେ ୧୩ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ସେମି ଫାଇନାଲ ପ୍ରତିଯୋଗିତାରେ ଜିଲ୍ଲାର ମୋଟ ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରୁ ୫୭ ଜଣ ପ୍ରତିଯୋଗୀ ମନୋନୀତ ହୋଇ ସେମି ଫାଇନାଲରେ ଭାଗ ନେଇଥିଲେ । ନୟାଗଡ଼ ପୁରୁଣା ସହରସ୍ଥିତ ବୁଦ୍ଧ ମଣ୍ଡପରେ ଆୟୋଜିତ ସେମି ଫାଇନାଲରେ ବିଚାରକ ଭାବେ ସୂରଗନ୍ଧର୍ବ ନବକିଶୋର ମିଶ୍ର,ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଗୋଦାବରୀଶ ପାତ୍ର ଏବଂ ଏବଂ ବେତାର କଣ୍ଠଶିଳ୍ପୀ ରବିନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୧୩ ଜଣ ପ୍ରତିଯୋଗୀଙ୍କୁ ଫାଇନାଲ ପାଇଁ ବାଛିଥିଲେ ।

ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ଏହି ପ୍ରତିଯୋଗୀ ମାନେ ହେଲେ ଓମ ପ୍ରକାଶ ମହାରଣା, ବିଷ୍ନୁପ୍ରିୟା ବେହେରା,ଶୁଚିସ୍ମିତା ଦୋରା,ଲିପ୍ସାରାଣୀ ପଣ୍ଡା,ପଲ୍ଲବୀ ତ୍ରିପାଠୀ, ସୋମାଲିନ ପୃଷ୍ଟି,ଶକ୍ତିମାନ ସ୍ୱାଇଁ,ଆଦ୍ୟାଶା ପ୍ରିୟଦର୍ଶିନୀ ନନ୍ଦ,ସ୍ନେହା ପ୍ରିୟଦର୍ଶିନୀ,ଦେବୀ ପ୍ରସାଦ ନନ୍ଦ, ପୂଜା ନାୟକ,ସଂଗୀତା ପ୍ରଧାନ । ତେବେ ସେମି ଫାଇନାଲରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ଫାଇନାଲରେ ସମ୍ବର୍ଦ୍ଧିତ କରାଯିବା ସହିତ ପ୍ରମାଣପତ୍ର ପ୍ରଦାନ କରାଯିବ । ସେମି ଫାଇନାଲରେ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ,ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ,ସଂଯୋଜକ ଲକ୍ଷ୍ମୀଧର ସାହୁ,ପ୍ରଶାନ୍ତ କୁମାର ପଟ୍ଟନାୟକ, ଉମାକାନ୍ତ ମିଶ୍ର,ପୂର୍ଣଚନ୍ଦ୍ର ଶତପଥୀ,ରବୀନ୍ଦ୍ର କୁମାର ସାହୁ,କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ଅଶୋକ ମଲ୍ଲ ପ୍ରମୁଖ ସହଯୋଗ କରିଥିଲେ ।

ସୂଚନା ଯୋଗ୍ୟ ଯେ ଫାଇନାଲରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ନଗଦ ୧୧ହଜାର ଟଙ୍କା ସହିତ ‘ନୟାଗଡ଼ ସଙ୍ଗୀତ କଲୋଳ’ ଉପାଧି ପ୍ରଦାନ କରାଯିବା ସହିତ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ୫ ହଜାର ଏବଂ ୩ ହଜାର ଟଙ୍କା ପ୍ରଦାନ କରାଯିବା ସହିତ ସେମି ଫାଇନାଲରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।