।ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କୋସ୍କା ଗ୍ରାମ ପଞ୍ଚାୟତ ଅଧୀନ ଅଁଳାପଟା ଗ୍ରାମ ନିକଟସ୍ଥ ବଡ ଗୋସେଇଁ ପାହାଡ଼ ତଳେ ଅବସ୍ଥିତ ଯୋଗିଯୋଗିଆଣୀ ବୌଦ୍ଧ ପୀଠରେ ସକାଳ 7ଘଟିକା ସମୟ ରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି ଏଠାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ସାଧୁ ସନ୍ଥ ମାନେ ଆସି ଉକ୍ତ ମହାଯଜ୍ଞ ରେ ସାମିଲ ହୋଇଥିଲେ । ସକାଳେ ସୂର୍ଯ୍ୟ ପୂଜା ,ଭୂମି ପୂଜା ,ଗୋ ପୂଜା ,ଘୃତ ଯଜ୍ଞ ,ନାମଯଜ୍ଞ , ନାମ ସଙ୍କୀର୍ତ୍ତନ, ଅଷ୍ଟପ୍ରହରୀ ଆଦି କରାଯାଇ ଯଥା ବିଧି ଓ ପରମ୍ପରା ଅନୁସାରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇ ଅପରାହ୍ନ 4ଟା ସମୟରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ଆଖ ପାଖ ତଥା ଦୂର ରୁରାନ୍ତରରୁ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଓ ପର୍ଯ୍ୟଟକ ଆସି ଯଜ୍ଞ ସ୍ଥଳରେ ଯୋଗ ଦେବା ସହ ପାହାଡ଼ ପର୍ବତ ଝରଣା ଓ ପ୍ରାକୃତିକ ଶୋଭା ଉପଭୋଗ କରିବା ସହିତ ବିଭିନ୍ନ ପ୍ରକାର ଦୋକାନ ବଜାରରେ ଭିଡ ଜମିଥିବାର ଦେଖାଯାଏ । ଏହା ନୟାଗଡ଼ ଜିଲ୍ଲାରେ ଏକମାତ୍ର ବୌଦ୍ଧ ପୀଠ ଜେଇଁଠୀ କାହିଁ କେଉଁ ବର୍ଷପୂର୍ବରୁ ଚାରିଗୋଟି ବୌଦ୍ଧ ମୂର୍ତ୍ତି ପୂଜା ପାଉଥିବାର ଶୁଣା ଯାଉଛି ।

ସମସ୍ତ ଭକ୍ତଙ୍କ ପାଇଁ ଅନ୍ନ ଯଜ୍ଞ ଓ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ଯଜ୍ଞ କମିଟିର ସଭାପତି ସୁଜିତ୍ କୁମାର ପଟ୍ଟନାୟକ ,ସମ୍ପାଦକ ପ୍ରମୋଦ କୁମାର ସାହୁ ,କୋଷାଧ୍ୟକ୍ଷ ବାପୁ ଦାସ, ସଭ୍ୟ ରବି ସାହୁ , ବାସୁଦେବ ରାଉଳ , ମୁରଲୀଧର ସାହୁ , ଧୃବ ନାଏକ ଓ ଅଁଳାପଟା ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗ , ତତ୍ ସହିତ ଆଖ ପାଖ 21 ଗୋଟି ଗ୍ରାମ ବାସି ସହଯୋଗ କରିଥିଲେ । ପ୍ରତ୍ୟେକ ବର୍ଷ ଏହି ଜାନୁୟାରୀ ମାସ ଏକ ତାରିଖରେ ଯଜ୍ଞ ହେଉ ଥିବାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ ।ଏହାକୁ ଆଖିଆଗରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଖଣ୍ଡପଡା ଥାନା ଅଧିକାରୀ , କୋସ୍କା ଫାଣ୍ଡି ଅଧିକାରୀଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥିପାଇଁ ଏଠାକୁ ଆଗନ୍ତୁକ ଭକ୍ତ ମାନେ ଖଣ୍ଡପଡା ପୋଲିସ ଓ କୋସ୍କା ଫାଣ୍ଡି ପୋଲିସଙ୍କୁ ଭୂୟଂଶି ପ୍ରଶଂସା କରିଥିବାର ଶୁଣିବାକୁ ମିଳିଥିଲା । ଉକ୍ତ ବୌଦ୍ଧପୀଠ ଓଡ଼ିଶା ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ବର୍ଷସାରା ବୁଲିବାକୁ ଓ ବଣଭୋଜି କରିବା ପାଇଁ ଆସିଥାନ୍ତି । ଖଣ୍ଡପଡା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ବାଇଁ ଓ କଟକ ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ବଳିଆର ସିଂ ଆସି ଯଜ୍ଞ ଉତ୍ସବରେ ଯୋଗ ଦେଇଥିଲେ । ରାଜ୍ୟ ପର୍ଯ୍ୟଟନ ବିଭାଗ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରି ଏହି ବୌଦ୍ଧ ପୀଠ ଅଞ୍ଚଳର ବିଭିନ୍ନ ଦିଗରେ ଉନ୍ନତି ମୂଳକ କାର୍ଯ୍ୟ କରି ଆଗେଇ ନେବାପାଇଁ ସାହାଯ୍ୟ ସହଯୋଗ କରିବେ ବୋଲି କହିଛନ୍ତି ।