ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆରେ ଅବସ୍ଥିତ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ସଭାପତି ଶ୍ରୀମତୀ ସଲିଲା ସେଠୀଙ୍କ ତତ୍ତ୍ଵାବଧାନରେ ମୁଖ୍ୟଅତିଥି ଭାବେ ଗଣିଆ ତହସିଲଦାର ପ୍ରିତିବାଳା ରଣା ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଗଣିଆ ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରବିନ୍ଦ୍ରନାଥ ରାଉତରାୟ, ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଶ୍ରୀଯୁକ୍ତ ମଧୁସୂଦନ ଦାସ,ଥାନା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଦଣ୍ଡସେନା, ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ଅଖିଳ କୁମାର ହୋତା ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନୂତନ ଅଧ୍ୟକ୍ଷା ଶ୍ରୀମତୀ ସଲିଲା ସେଠୀଙ୍କ ପ୍ରଚେଷ୍ଟାରେ ଦୀର୍ଘ ଦିନ ପରେ ବାର୍ଷିକ ଉତ୍ସବ ପାଳନ କରାଯାଉଥିବାରୁ ଅତିଥି ମାନେ ଅଧ୍ୟକ୍ଷାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ବାଘେର ମଞ୍ଚ ପରିଚାଳନା କରିଥିଲେ । ଅତିଥି ମାନେ ନିଜ ନିଜର ବହୁମୂଲ୍ୟ ସମୟ ଦେଇ ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାରୁ ଅଧ୍ୟକ୍ଷା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଗଣିଆର ବୋହୂ ହୋଇ ଆଜି ଗଣିଆ ବ୍ଳକର ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାର ମଙ୍ଗ ଧରିଥିବାରୁ ମୁଖ୍ୟ ଅତିଥି ଅଧ୍ୟକ୍ଷାଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ପିଲାମାନଙ୍କର ଉନ୍ନତି କାମନା କରିଥିଲେ । ୧୯୮୩ ମସିହାରୁ ଉକ୍ତ ଅନୁଷ୍ଠାନଟି ଅନେକ ଛାତ୍ର ଛାତ୍ରୀଙ୍କୁ ତିଆରି କରିଛି ଯାହା ଫଳରେ ସେମାନେ ଆଜି ବହୁ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ହୋଇଛନ୍ତି । କିନ୍ତୁ ଛାତ୍ର ଛାତ୍ରୀ ମାନଙ୍କ ତୁଳନାରେ ଶ୍ରେଣୀଗୃହ ନଥିବାରୁ ପିଲାମାନେ ପାଠ ପଢିବା ପାଇଁ ଅନେକ ଅସୁବିଧା ହେଉଥିବା ପ୍ରଫେସର ଅଖିଳ କୁମାର ହୋତା ପ୍ରକାଶ କରିଥିଲେ । ଗତ 2021 , 22 ,23 ମସିହାରେ ସମଗ୍ର ନୟାଗଡ଼ ଜିଲ୍ଲାରେ ଉକ୍ତ ଶିକ୍ଷା ଅନୁଷ୍ଠାନ ସବୁଠାରୁ ଭଲ ରେଜଲ୍ଟ କରି ସୁନାମ ଅର୍ଜନ କରିଥିବାର ଅତିଥି ମତବ୍ୟକ୍ତ କରିଥିଲେ ।ଅସହିଷ୍ନୁ ନହୋଇ ସହନଶୀଳ ହେଲେ ଅନୁଷ୍ଠାନ ଆଗକୁ ବଢିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ମୋବାଇଲର ସଦୁପଯୋଗ କରିବାପାଇଁ ତହସିଲଦାର ଶ୍ରୀମତୀ ରଣା ଉପଦେଶ ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।