କାର୍ଯ୍ୟର ମାନ ତଦାରଖ ନିମନ୍ତେ ଘଟଣା ସ୍ଥଳରେ ବିଭାଗୀୟ ଯନ୍ତ୍ରୀ ରହୁ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା
ଖଣ୍ଡପଡା ବ୍ଳକ ଅଧିନ କୁମ୍ଭାରପଡା ଗ୍ରାମର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ନୂତନ କୋଠା ନିର୍ମାଣ ନିମନ୍ତେ ଜାତୀୟ ସ୍ଵାସ୍ଥ୍ୟ ମିଶନ ପକ୍ଷରୁ ପ୍ରାୟ ୧କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଏହା ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ନ୍ୟସ୍ତ କରାଯାଇଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ତତ୍ବାବଧାନରେ କାର୍ଯ୍ୟରେ ନିୟୋଜିତ ଠିକାଦାର ମନଇଚ୍ଛା କୋଠା ନିର୍ମାଣ କାର୍ଯ୍ୟ କରୁଥିବା ବେଳେ କାର୍ଯ୍ୟର ମାନ ତଦାରଖ ନିମନ୍ତେ ଘଟଣା ସ୍ଥଳରେ ବିଭାଗୀୟ ଯନ୍ତ୍ରୀ ରହୁ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟରେ ନିୟୋଜିତ ଠିକାଦାର ନିର୍ଦ୍ଧାରିତ ଏଷ୍ଟିମେଟ ଅନୁଯାୟୀ କାର୍ଯ୍ୟ କରୁ ନଥିବାରୁ ନିର୍ମାଣଧିନ କୋଠାର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠାଇଛନ୍ତି କୁମ୍ଭାରପଡା ଗ୍ରାମର ବାସିନ୍ଦା ।

ଏପରିକି କଂକ୍ରିଟ ଢଳେଇ ସମୟରେ ମଧ୍ୟ ସିମେଣ୍ଟ ଭାଗମାପ ଠିକ ରହୁ ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିବା ସହ ନିର୍ମାଣଧିନ କାର୍ଯ୍ୟରେ ହେଉଥିବା ଅନିୟମିତତା ସଂପର୍କରେ ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି । ସେହିପରି ନିର୍ମାଣଧିନ କାର୍ଯ୍ୟ ସଂପର୍କୀତ ତଥ୍ୟ ସୂଚନା ଫଳକରେ ଦର୍ଶାଯିବାର ବ୍ୟବସ୍ଥା ଥିଲେ ହେଁ ସେଠାରେ କୈାଣସି ସୂଚନା ଫଳକ ଲଗାଯାଇ ନଥିବା ଜଣାପଡିଛି । ଉକ୍ତ କାର୍ଯ୍ୟ ତଦାରଖ ଦାୟୀତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀ ପ୍ରଶାନ୍ତ କୁମାର ଖଟୁଆ ଙ୍କୁ ପଚାରିବାରେ ସେ ଏଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।