ଉତ୍କଳ ଘଣ୍ଟ ଯଦୁ ମଣି ଙ୍କ ପୁଣ୍ୟ ମାଟିରେ ପ୍ରତିଷ୍ଠିତ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଇଟାମାଟି ଶିକ୍ଷ୍ୟା ଓ ବୈଷୟିକ ମହାବିଦ୍ୟାଳୟରେ +୨ ବିଜ୍ଞାନ ଓ କଳା ପରୀକ୍ଷାରେ ଜିଲ୍ଲା ଓ ରାଜ୍ୟ ସ୍ତରରେ କୃତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କର ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଅଭିମନ୍ଯୁ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇ ଯାଇଛି । ଅଧ୍ଯୟନରତ ଛାତ୍ର ଛାତ୍ରୀ, ଅଧ୍ୟାପିକା , ଅଧ୍ୟାପକ ଓ କର୍ମଚାରୀଙ୍କ ଉପସ୍ଥିତିରେ ଉଭୟ ବିଜ୍ଞାନ ଓକଳାରେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆନୁଷ୍ଠାନିକ ଶୁଭେଚ୍ଛା ଓ ଶୁଭକାମନା ଜଣା ଯାଇଥିଲା ।

ପ୍ରକାଶ ଥାଉକି +୨ କଳାର ଛାତ୍ରୀ ଅନନ୍ୟା ମୈତ୍ରୀ ଏକାଧାରାରେ ମହାବିଦ୍ୟାଳୟ ଓ ଜିଲ୍ଲା ଟପ୍ପର ହେବା ସଙ୍ଗେସଙ୍ଗେ ରାଜ୍ୟସ୍ତରରେ ୭ମ ସ୍ଥାନ ଅଧିକାର କରି ମହା ବିଦ୍ୟାଳୟର ଗୌରବକୁ ବହୁ ଗୁଣିତ କରିପାରିଛନ୍ତି । ମୁଖ୍ୟ ଅତିଥିଭାବେ ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ପ୍ରତୀପ ପ୍ରଜ୍ୟୋଳନ କରିଥିଲେ ଓ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ନିଜର ଅଭିଭାଷଣରେ ଆନ୍ତରିକ ଇଚ୍ଛାଶକ୍ତି ଥିଲେ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସଫଳତା ହାସଲ କରିହେବବୋଲି ଶ୍ରୀଯୁକ୍ତ ନାୟକ ମତ ବ୍ୟକ୍ତ କରିଥିଲେ । ସମ୍ବର୍ଦ୍ଧନା ଉତ୍ସବ କେବଳ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନୁହେଁ ବରଂ ଆଗାମୀ ପିଢିକୁ ପ୍ରେରଣା ଓ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଧିଷ୍ଟ ବୋଲି ଅଧ୍ୟକ୍ଷ ଅଭିମନ୍ୟୁ ସାହୁ ମତବ୍ୟକ୍ତ କରିଥିଲେ ।

ଆଗାମୀ ଦିନ ମାନଙ୍କରେ ବର୍ତ୍ତମାନର ରେକର୍ଡ଼ ଭାଙ୍ଗିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ ଦେବା ସଙ୍ଗେ ସଙ୍ଗେ ଅଧ୍ୟାପିକା ଅଧ୍ୟାପକ ମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସୁଶାନ୍ତ କୁମାର ପାତ୍ର, ପ୍ରଶାନ୍ତ କୁମାର ରଥ, ଅଭୟ କୁମାର ଲେଙ୍କା, ଭାରତୀ ମିଶ୍ର, ସଲିଳା ସାମଲ, ନିରୋଜ ନଳିନୀ ଦାସ ଓ ଅନ୍ୟ ସମସ୍ତ ଅଧ୍ୟାପିକା ଅଧ୍ୟାପିକା ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ଛାତ୍ର ଛାତ୍ରୀ ମାନଙ୍କୁ ଅଧିକ ସଫଳତା ପାଇଁ ଉତ୍ସାହିତ କରିଥିଲେ ।

ସଭା ଶେଷ ରେ ଅଧ୍ୟାପିକା ସୁପ୍ରିୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଚଳିତ ବର୍ଷ +୨ପରୀକ୍ଷାରେ ଅଭୂତପୂର୍ବ ସଫଳତା ସ୍ମୃତି ରେ କୃତୀ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା ।