ଖଣ୍ଡପଡ଼ା ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟରେ ଚାଲିଥିବା ବିଭିନ୍ନ ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିଛି ଖଣ୍ଡପଡ଼ା ନଗର କଂଗ୍ରେସ। ଏନେଇ ମଙ୍ଗଳବାର ଖଣ୍ଡପଡ଼ା ନଗର କଂଗ୍ରେସ ସଭାପତି ସନ୍ତୋଷ କୁମାର ସାହୁ ନୟାଗଡ଼ ଜିଲ୍ଲାପାଳଙ୍କୁ ଭେଟି ଏ ସଂପର୍କରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ଖଣ୍ଡପଡ଼ା ସହରାଞ୍ଚଳରେ ଲକ୍ଷଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଠିକାଦାରଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଚାଲିଥିବାବେଳେ କାର୍ଯ୍ୟ ଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ହେଉଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକର ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକାଦାରଙ୍କ ମନମାନିରେ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ଚାଲିଥିବା ବେଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଘଟଣା ସ୍ଥଳକୁ ପରିଦର୍ଶନରେ ନଯାଇ କାର୍ଯ୍ୟାଳୟରେ ବସି ବିଲ୍ ଗୁଡ଼ିକ ପାସ୍ କରୁଥିବା ଅଭିଯୋଗ ହେଉଛି।
ଏ ସଂପର୍କରେ ନିର୍ବାହୀ ଅଧିକାରୀ ନିରଞ୍ଜନ କୁମାର ଧଳଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ଚାଲିଥିବା ବେଳେ ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ ଓ ଉଚ୍ଚ କର୍ତ୍ତୃପକ୍ଷ ଅଭିଯୋଗ ପ୍ରତି ଦୃଷ୍ଟି ନଦେଇ ନିରବଦ୍ରଷ୍ଟା ସାଜିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ୱାଡ଼ରେ ନିର୍ମାଣ କରାଯାଇଥିବା ରାସ୍ତା, ନାଳ ସହ ଭେଣ୍ଡିଙ୍ଗ ଜୋନ୍, କଂସେଇଖାନା ନିର୍ମାଣ ପାଇଁ ପ୍ରସ୍ତାବିତ ସ୍ଥାନରେ ଚାଲିଥିବା କାର୍ଯ୍ୟରେ ଆଖିବୁଜା ଦୁର୍ନୀତି ହୋଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏ ସଂପର୍କରେ ଖଣ୍ଡପଡ଼ା ନଗର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ସାହୁ, ନୟାଗଡ଼ ଜିଲ୍ଲାପାଳ ସ୍ବଧାଦେଵ ସିଂହଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଅଭିଯୋଗ ଆଧାରରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ତଦନ୍ତ କରିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।