କଳାକାର ଭତ୍ତା ପାଇବାରୁ ବଞ୍ଚିତ ଦୁଇ ଭାଇ
ଖଣ୍ଡପଡ଼ା ସହରର ୧୧ ନଂ ୱାଡ଼ ଗଢଭିତର ସାହିର ସ୍ବର୍ଗତ ମାଷ୍ଟର କଣ୍ଡୁରୀ ଚରଣ ଦାସ ଏକାଧାରରେ ଜଣେ ଯନ୍ତ୍ରଶିଳ୍ପୀ ତଥା ସଂଗୀତଜ୍ଞ ଥିଲେ। ମାଷ୍ଟର କଣ୍ଡୁରୀ ସାର୍ ବୋଲି ସମସ୍ତେ ତାଙ୍କୁ ଜାଣନ୍ତି। ତେବେ ଆଜି ସେ ଆଉ ନାହାଁନ୍ତି ସତ। କିନ୍ତୁ ତାଙ୍କ ତିନି ପୁଅଙ୍କ ମଧ୍ୟରୁ ଦୁଇ ପୁଅ ଆଜି ମଧ୍ୟ ପିତାଙ୍କ କଳାକୁ ଵଞ୍ଚାଇ ରଖିଛନ୍ତି। ସ୍ବର୍ଗତ କଣ୍ଡୁରୀ ଦାସଙ୍କ ବଡ଼ପୁଅ ବଂଶୀଧର ଦାସ ଜଣେ ବିଶିଷ୍ଟ ତବଲା ବାଦକ ତଥା ପେପର ଆର୍ଟିଷ୍ଟ ହୋଇଥିବା ବେଳେ ମଧ୍ୟମ ପୁଅ ବେଣୁଧର ଦାସ ଜଣେ କଣ୍ଠଶିଳ୍ପୀ ତଥା ଯନ୍ତ୍ରଶିଳ୍ପୀ (ହାରମୋନିୟମ,ବେଞ୍ଜ,କ୍ୟାସିଓ) ବାଦକ। ତେବେ ଖଣ୍ଡପଡ଼ା କାହିଁକି? ଖଣ୍ଡପଡ଼ା ବାହାରେ ଏହି କଳାକାର ପରିବାରର ସୁନାମ ଥିଲେ ମଧ୍ୟ, ଦୁଃଖ ଓ ପରିତାପର ବିଷୟ ସରକାରଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ କଳାକାର ଭତ୍ତା ଖଣ୍ଡେ ମିଳି ପାରିନାହିଁ। ସରକାର କଳାକାର ମାନଙ୍କ ପାଇଁ ‘କଳାକାର ଭତ୍ତା’ ଯୋଗାଇ ଦେଉଥିବା ବେଳେ ବେଣୁଧର ଦାସ ଏବଂ ବଂଶୀଧର ଦାସଙ୍କ ପାଇଁ ଏହି ଯୋଜନା ସାତ ସପନ। ବିଭିନ୍ନ ମଞ୍ଚରେ ନିଜର କଳା ପ୍ରତିଭା ପାଇଁ ସମ୍ମାନିତ ହେଉଥିବା ଏହି ଦୁଇ ଭାଇଙ୍କ ପାଇଁ ସରକାରଙ୍କ ତରଫରୁ କେବେ କଳାକାର ଭତ୍ତା ମିଳୁଛି ଦେଖିବାକୁ ବାକି ରହିଲା। ତେବେ ଏହି ଦୁଇ ଭାଇ ଆମ ପ୍ରତିନିଧିଙ୍କୁ ଦୁଃଖର ସହିତ ଜଣାଇଛନ୍ତି, ଖଣ୍ଡପଡ଼ା ଏନଏସି ପକ୍ଷରୁ ବିଭିନ୍ନ ସମୟରେ ଡକାଯାଇ ଭତ୍ତା କରାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ ହେଁ, ଆଜି ପର୍ଯ୍ୟନ୍ତ ଭତ୍ତା କାହିଁକି ହେଇ ପାରୁନାହିଁ ଏକ ପ୍ରଶ୍ନବାଚୀ ? ଖଣ୍ଡପଡ଼ାର ତତ୍କାଳୀନ ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ଯନ୍ତ୍ରଶିଳ୍ପୀ, ସଙ୍ଗୀତ ପ୍ରବୀଣ ସ୍ବର୍ଗତ କଣ୍ଡୁରୀ ସାର୍ ଙ୍କ ପରିବାର ତଥା ଏକ କଳାକାର ପରିବାର ‘କଳାକାର ଭତ୍ତା’ରୁ ବଞ୍ଚିତ ?
ଦୁଇ ଭାଇଙ୍କ ବୟସ ୬୦ ପରେ ଛୁଇଁଥିଲେ ମଧ୍ୟ ଖଣ୍ଡପଡ଼ା ଏନଏସି ପକ୍ଷରୁ ଦୁଇ ଭାଇଙ୍କୁ କଳାକାର ଭତ୍ତା ନମିଳିବା ପଛର ରହସ୍ୟ କ’ଣ ? ତେବେ ଆମ ଖଣ୍ଡପଡ଼ା ପ୍ରତିନିଧି ଏହି କଳାକାର ପରିବାରକୁ ଭେଟିବା ସହ ଜାଣିବାକୁ ପାଇଥିଲେ, ଏହି ପରିବାରରେ ଅନେକ କଣ୍ଠଶିଳ୍ପୀ ଅଛନ୍ତି, ଅଜିତ୍ କୁମାର ଦାସ, ମାଳତୀ ଦାସ ଏବଂ ଶିଶୁ କଣ୍ଠଶିଳ୍ପୀ ଜାଗୃତି ଦାସ। ଯେଉଁମାନେ କି ସ୍ଥାନୀୟ ଅଞ୍ଚଳର ଜଣେ ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଭାବେ ପରିଚିତ।