ଖଣ୍ଡପଡ଼ା ସହରର ୧ନଂ ୱାଡ଼ ମଠ ସାହିରେ ଖଣ୍ଡପଡ଼ା ଉପ ଡାକଘର କର୍ମଚାରୀ ମାନଙ୍କ ବାସଗୃହ ନିର୍ମାଣ ନିମନ୍ତେ ଦୀର୍ଘ ବର୍ଷ ଧରି ସଂରକ୍ଷିତ ଥିବା ସ୍ଥାନଟିର ଚର୍ତୁପାଶ୍ୱର୍ରେ ବାହ୍ୟ ପ୍ରାଚୀର ନିର୍ମାଣ କରାଯାଇଛି। ମାତ୍ର ସଂରକ୍ଷିତ ସ୍ଥାନ ପରିସର ଆବର୍ଜନା ତଥା ଗଛଲତାରେ ଭର୍ତ୍ତି ହୋଇ ରହିଛି। ଏହାରି ଭିତରେ ବିଭିନ୍ନ ପ୍ରଜାତିର ବିଷଧର ସରିସୃପ ରହୁଥିବାରୁ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହେଉଛି।

ସଂରକ୍ଷିତ ସ୍ଥାନ ଚାରି ପାଖରେ ଜନବସତି ଗଢ଼ି ଉଠିଛି। ଅନେକ ସମୟରେ ବିଷଧର ସରିସୃପ ଗୁଡ଼ିକ ଏଣେତେଣେ ବିଚରଣ କରୁଥିବାରୁ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ତେବେ ଏହାରି ଭିତରେ ଗତ କିଛିଦିନ ହେବ ଏହାର ଚତୁଃପାର୍ଶ୍ଵରେ ଥିବା ବାହ୍ୟ ପ୍ରାଚୀରର କିଛି ଅଂଶ ଭାଙ୍ଗି ଯାଇଛି। ପ୍ରାଚୀରଟି ବହୁତ ପୁରୁଣା ହୋଇଥିବାରୁ ନୂତନ ପ୍ରାଚୀର ନିର୍ମାଣ ଏବଂ ଉକ୍ତ ସ୍ଥାନ ପରିସର ମଧ୍ୟରେ ଅନାବନା ଗଛଲତାକୁ କଟାଯାଇ ସଫା କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହେଉଛି।