ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟ ପରିସରରେ ପଠାଣି ସାମନ୍ତଙ୍କ ୧୮୯ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ।

ବିଶ୍ଵ ବିଖ୍ୟାତ ଜ୍ୟୋତିର୍ବିଦ ମହାମହୋପାଧ୍ୟାୟ ପଠାଣି ସାମନ୍ତଙ୍କ ୧୮୯ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ଗୁରୁବାର ମଧ୍ୟାହ୍ନ ୧ଘଣ୍ଟା ସମୟରେ ମହିଳା ମହାବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ପଠାଣି ସାମନ୍ତ ମେମୋରିଆଲ ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରେମାନନ୍ଦ ମହାପାତ୍ର, ମୁଖ୍ୟଵକ୍ତା ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ପାର୍ଥସାରଥୀ ମହାନ୍ତି, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ସୁସାହିତ୍ୟିକ ଭାରତୀ ଭୂଷଣ ମିଶ୍ର ଯୋଗ ଦେଇଥିଲେ। ଉତ୍ସବର ପ୍ରାରମ୍ଭରେ ଅତିଥି ମାନେ ପଠାଣି ସାମନ୍ତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଅନୁଷ୍ଠାନର ଛାତ୍ରୀମାନେ ସ୍ଵାଗତ ସଂଗୀତ ଗାନ କରିଥିଲେ। ଅତିଥି ମାନେ ପଠାଣି ସାମନ୍ତଙ୍କ ସୁଦୂର ପ୍ରସାରୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ। ନଭୋବିଜ୍ଞାନ ସମ୍ପର୍କରେ ସମଗ୍ର ବିଶ୍ୱବାସୀଙ୍କୁ ପ୍ରେରଣା ଦେଇଥିବା ଏହି ମହାମନିଷଙ୍କ ଯୋଗୁଁ ଵିଶ୍ଵ ଦରବାରରେ ଜନ୍ମମାଟି ଖଣ୍ଡପଡ଼ାର ଏକ ସ୍ଵତନ୍ତ୍ର ପରିଚୟ ରହିଛି ଵୋଲି ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବରିଷ୍ଠ ଅଧିକାରୀ ଚିନ୍ମୟ ମିଶ୍ର ମତ ଦେଇଥିଲେ। ପଠାଣି ସାମନ୍ତ ମେମୋରିଆଲ ପରିଷଦର ସଂପାଦକ ଗିରିଜା ଶଙ୍କର ତରାସିଆ କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ। ଏ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଖଣ୍ଡପଡ଼ା ଅଂଚଳର ଵ୍ୟକ୍ତି ବିଶେଷଙ୍କୁ ଅତିଥି ମାନେ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ସେହିପରି କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା। ଏ ଅବସରରେ ଏକ ଶିଶୁମେଳା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଜୟନ୍ତୀ ଉତ୍ସବ ପାଳନରେ ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ମାନେ ସକ୍ରୀୟ ସହଯୋଗ କରିଥିଲେ।

You might also like