ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବଡସିଲିଙ୍ଗାରେ ଆଜି ବଜ୍ରାଘାତ ଯୋଗୁଣ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ମୃତକ ଜଣକ ହେଲେ ଅଖି ଯାନି (୨୭) ଓ ଗୁରୁତର ପଙ୍କଜ ମାଝୀ(୨୫) ବୋଲି ଜଣାପଡିଛି। ପ୍ରଥମେ ସେମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଅଖି ଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଅପରାହ୍ନରେ ଆଖି ଓ ପଙ୍କଜ ଛେଳି ଚରେଇବାକୁ ଜଙ୍ଗଲ କୁ ଯାଇଥିଲେ। ବର୍ଷା ସହିତ ଘଡ଼ଘଡ଼ି ହେବାରୁ ଉଭୟ ଗୋଟିଏ ଜାଗାରେ ବସିଥିବା ସମୟରେ ବଜ୍ରପାତ ହୋଇଥିଲା।

ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାରର ଅନ୍ୟ ସଦସ୍ୟମାନେ ସେମାନଙ୍କୁ ଦଶପଲ୍ଲା ଡାକ୍ତରଖାନାକୁ ନେଇଥିଲେ। ଅଖିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପଙ୍କଜର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି । ଖବର ପାଇ ଦଶପଲ୍ଲା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି । ଉଭୟେ ଗରିବ ପରିବାର ହୋଇଥିବାରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି ।