ନୟାଗଡ଼ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଜନଶୁଣାଣି ନାଁରେ ଶ୍ରମିକଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ପ୍ରତି ଶୁକ୍ରବାର ଜନଶୁଣାଣି କରିବାକୁ କୁହାଯାଇଛି । ଶ୍ରମିକମାନେ ଜିଲ୍ଲାର ବିଭିନ୍ନ କୋଣ ଓ ଅନୁକୋଣରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପହଞ୍ଚୁଛନ୍ତି । କିନ୍ତୁ ଡ଼ିଏଲ୍ସି କିମ୍ବା ଡ଼ିଏଲ୍ଓଙ୍କ କାର୍ଯ୍ୟାଳୟରେ ଦେଖା ମିଳୁନି । ଶତାଧିକ ଶ୍ରମିକ ନିରାଶ ହୋଇ ଫେରୁଥିବା ବେଳେ ସେମାନଙ୍କ ଦରଖାସ୍ତ ଗ୍ରହଣ କରିବା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଉନାହିଁ ।
ଯାହାକୁ ନେଇ ଶ୍ରମିକ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ନୟାଗଡ଼ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଖବର ଲେଖା ହେବା ବେଳକୁ ଶତାଧିକ ଶ୍ରମିକ ଉପସ୍ଥିତ ରହିଥିବା ଦେଖା ଯାଇଛି । ଅନେକ ଅପେକ୍ଷା କରି ଫେରିଯାଇଥିବା ସୂଚନା ମିଳିଛି ।