ନୟାଗଡ଼: ନୟାଗଡ଼ରେ ଚାଞ୍ଚଲ୍ୟ, ଏକ ବନ୍ଦ ଘର ଖଟ ଉପରୁ ୫ବର୍ଷୀୟ ଝିଅ ଏବଂ ବାପଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଘରର ତାଲା ଭାଙ୍ଗି ମୃତଦେହକୁ ଉଦ୍ଧାର କରିଛି ପୋଲିସ। ଝିଅକୁ କୌଣସି ବିଷାକ୍ତ ଦ୍ରବ୍ୟ ଦେବାପରେ ବାପା ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ମୃତ୍ୟୁ୍ର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ନୟାଗଡ଼ ସହର ଦେବୋତ୍ତର ଲେନ ୪ରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ମୃତକ ଦ୍ବୟ ହେଲେ ପୁଲକ ବିଶ୍ୱାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ୱାଳ।ସୂଚନା ଅନୁଯାୟୀ, ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଗତ ୩ ମାସ ପୂର୍ବରୁ ଦ୍ୱିତୀୟ ବିବାହ କରିଥିଲେ। ସବୁ କିଛି ଠିକଠାକ ଥିଲା। ଗତ ସୋମବାର ପତ୍ନୀ ନିଜ ବାପ ଘରକୁ ଯାଇଥିଲେ। ବାପ ଘରେ ୨ ଦିନ ରହି ନୟାଗଡ଼ ସ୍ଥିତ ସ୍ୱାମୀଙ୍କ ପାଖକୁ ଆସିବା ପରେ ଘର ଭିତରୁ କବାଟ ବନ୍ଦ ଥିଲା। ଭିତରୁ ତାଲା ପଡ଼ିଥିବା ଦେଖି ବହୁ ସମୟ ପର୍ଯ୍ୟନ୍ତ କବାଟ ବାଡେଇଥିଲେ। ପରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ପହଞ୍ଚି ଘରର ତାଲା ଭାଙ୍ଗି ଘରେ ପଶିଥିଲା। ଘର ଭିତରେ ବାପାର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ୫ ବର୍ଷର ଝିଅର ମୃତ ଦେହ ଖଟରେ ପଡ଼ିରହିଛି।ସାଇଣ୍ଟିଫିକ ଟିମ ପହଂଚିବା ପରେ ଟାଉନ ଥାନା ପୋଲିସ ବାପ ଓଝିଅ ର ମୃତ ଦେହ ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ଘଟଣା ର ଅନୁସନ୍ଧାନ ଜାରୀ ରଖିଛି