Skip to content

ନୟାଗଡ଼ ଜିଲ୍ଲାର ବିକାଶ ପାଇଁ ସଂକଳ୍ପ ଅଧିବେଶନ

ସମସ୍ତ ପ୍ରାକୃତିକ ଓ ଭୌଗୋଳିକ ପରିବେଶର ଅନୁକୂଳ ଅବସ୍ଥିତି ସତ୍ତ୍ୱେ ନୟାଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଆଶାନୁରୂପ ହୋଇପାରି ନଥିବାରୁ ଉଦ୍ ବେଗ ପ୍ରକାଶ କରି ଅଦ୍ୟ ତା୨୮.୦୩.୨୦୨୫ ରେ ନୟାଗଡ କେସି କ୍ଳବଠାରେ ଓଡ଼ିଶାର ରାଜଧାନୀ ସହରରେ ସୁପ୍ରତିଷ୍ଠିତ ନୟାଗଡିଆଙ୍କୁ ନେଇ ଗଠିତ ହୋଇଥିବା ନୟାଗଡ଼ ଜିଲ୍ଲା ବିକାଶ ସମ୍ମିଳନୀ ର ଉଦ୍ଘାଟନୀ ଅଧିବେଶନ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ କରୁଣାକର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି !

ଏହି ଅଧିବେଶନରେ ସମ୍ମିଳନୀର ଉଦ୍ୟୋକ୍ତା ତଥା ବରିଷ୍ଠ କର୍ମକର୍ତ୍ତା ଭାରତ ସରକାରଙ୍କ ପ୍ରାକ୍ତନ ଗଣମାଧ୍ୟମ ପରାମର୍ଶଦାତା ଡଃ. ଉମାକାନ୍ତ ମିଶ୍ର, ଗବେଷକ ତଥା ପାଠାଗାର ଆନ୍ଦୋଳନର ପ୍ରମୁଖ ପ୍ରବୀର ପଟ୍ଟନାୟକ, ଡଃ ବ୍ରଜବନ୍ଧୁ ପଣ୍ଡା, ସ୍ତମ୍ଭକାର ଡଃ ଜାନକୀଶ ବଡ଼ପଣ୍ଡା ଏହି ଅଧିବେଶନରେ ଯୋଗ ଦେଇ ନୟାଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ରାଜଧାନୀ ସହରରେ ପ୍ରତିଷ୍ଠିତ ଏହି ସଂଗଠନ ଜିଲ୍ଲାବାସୀଙ୍କ ସ୍ଵାର୍ଥସିଦ୍ଧି ପାଇଁ ଉଚ୍ଚ ପ୍ରଶାସନିକ ସ୍ତରରେ ଏକ ସେତୁର କାର୍ଯ୍ୟ କରିବ ଓ ଜିଲ୍ଲାର ଆଠଟିଯାକ ବ୍ଲକରେ ଏହି ବିକାଶର ଧାରାରେ ସାମିଲ ହେବାକୁ ଥିବା ଉଦ୍ୟୋଗୀମାନଙ୍କୁ ନେଇ ବୈଠକ କରିବା ସହିତ ଜ୍ଵଳନ୍ତ ସମସ୍ୟା ଗୁଡ଼ିକୁ ବର୍ଗୀକରଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ !

ଏହି ସମ୍ମିଳନୀର ନୟାଗଡ଼ ଜିଲ୍ଲା ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଜିଲ୍ଲାର ପ୍ରମୁଖ ସମସ୍ୟା ଗୁଡିକ ଉପରେ ଆଲୋକପାତ କରିଥିଲେ। ପ୍ରତି ବ୍ଳକରୁ ପ୍ରତିନିଧି ରୂପେ ଯୋଗଦେଇଥିବା ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ଆଡଭୋକେଟ ଶରତଚନ୍ଦ୍ର ବେହେରା, ସୁଦାମ ଚରଣ ବେହେରା, ଅଧ୍ୟାପକ ଭିକାରି ଚରଣ ସ୍ବାଇଁ, ଆଡଭୋକେଟ ପ୍ରସନ୍ନ କୁମାର ପଣ୍ଡା, ସମାଜସେବୀ ଗୋଲକବିହାରୀ ମୁଦୁଲି, ନିତ୍ୟାନନ୍ଦ ପରିଡ଼ା, ସ୍ଵରାଜ କୁମାର ମହାନ୍ତି, ବିନାୟକ ମିଶ୍ର, ବାବି ସିଂ ସାମନ୍ତ, ଲକ୍ଷ୍ମୀଧର ସାହୁ, ଦୁର୍ଯ୍ୟୋଧନ ସାହୁ, ଗୋକୁଳ ଷଡ଼ଙ୍ଗୀ, ପ୍ରଦୀପ କୁମାର ରଥ ପ୍ରମୁଖ ଆଲୋଚନାରେ ଭାଗନେଇ ଜିଲ୍ଲାର ବିକାଶ ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ! ନୟାଗଡ଼ରେ ଚିନିଶିଳ୍ପର ପୁନରୁଦ୍ଧାର କରି ଜିଲ୍ଲାର ଆଖୁଚାଷରେ ବିକାଶ ଘଟାଇବା, ବୃତଙ୍ଗ ଜଳଭଣ୍ଡାର ନିର୍ମାଣ କରି କୃଷିର ବିକାଶ କରିବା, ମହାନଦୀରେ ବ୍ୟାରେଜ ନିର୍ମାଣ କରି ଜଳସେଚନର ବିକାଶ କରିବା, ଦଶପଲ୍ଲା ଅଞ୍ଚଳରେ ବାଉଁଶ ଜଙ୍ଗଲର ବିକାଶ କରି କାଗଜ କଳ ପ୍ରତିଷ୍ଠା କରିବା, ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ, ଶୀତଳ ଭଣ୍ଡାର ସ୍ଥାପନ ଇତ୍ୟାଦି ପ୍ରମୁଖ ଦାବି ଉପରେ ଗୁରୁତ୍ବ ଦେଇ ଆଲୋଚନା କରାଯାଇଛି।
ଉଦ୍ୟୋକ୍ତା ବିଶ୍ଵନାଥ ମହାପାତ୍ର କାର୍ଯ୍ୟପନ୍ଥା ଉପରେ ମାର୍ଗଦର୍ଶନ କରିବା ପରେ ଧନ୍ୟବାଦ ଅର୍ପଣ କରିଥିଲେ !

Ad 1