Skip to content

ପୁଣି ଆଲୋକମାଳାରେ ଝଲସିଲା ଶ୍ରୀମନ୍ଦିର।

ପୂର୍ବପରି ଉଜ୍ଜଳ ଆଲୋକମାଳାରେ ବଡ଼ଦେଉଳ, ନୀଳଚକ୍ର ଆଉ ପରିକ୍ରମା ପ୍ରକଳ୍ପର ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି ଶ୍ରଦ୍ଧାଳୁ। ଗତ ବୁଧବାର ରାତିରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ହଠାତ୍‌ ଲାଇଟ୍‌ ଖୋଲି ନେଇଥିଲା ଠିକା ସଂସ୍ଥା। ଏହାକୁ ନେଇ ଭକ୍ତ, ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରି କି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଜିଲ୍ଲାପାଳଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ତେବେ ପ୍ରଶାସନ ପକ୍ଷରୁ ଦିଲ୍ଲୀର ଏକ ସଂସ୍ଥାକୁ ପୁନଶ୍ଚ ଲାଇଟ୍‌ ଲଗାବା ପାଇଁ କୁହାଯାଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୃକ୍ତ ସଂସ୍ଥା ଲାଇଟ୍‌ ସଂଯୋଗ କରିବା ପରେ ଅନ୍ଧାରରୁ ମୁକ୍ତ ହୋଇଛି ଶ୍ରୀମନ୍ଦିର। ତ୍ୱରାନ୍ୱିତ ପଦକ୍ଷେପ ପାଇଁ ଭକ୍ତମାନେ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପକ୍ଷରେ କାହାକୁ ନ ଜଣାଇ ଲାଇଟ୍‌ଗୁଡ଼ିକ ଖୋଲିଥିବାରୁ ଠିକା ସଂସ୍ଥା ବିରୋଧରେ ସିଂହଦ୍ୱାର ଥାନାରେ ମାମଲା ରୁଜୁ କରାଯାଇଛି
ଜାନୁୟାରୀ ମାସରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା। ବିଭିନ୍ନ ପ୍ରକାର ଆଲୋକମାଳାରେ ବେଶ୍‌ ସୁସଜ୍ଜିତ ହୋଇଥିଲା ଶ୍ରୀମନ୍ଦିର ଚତୁଃପାଶ୍ୱର୍। ଏକ ଠିକା ସଂସ୍ଥା ମନ୍ଦିର ଚାରିପାଶଖରେ ଏକାଧିକ ଫୋକସିଂ ଲାଇଟ୍‌ ଲଗାଇଥିଲା। ଏଭଳି ଆଲୋକୀକରଣ କରାଯାଇଥିଲା ଯେ ମେଘନାଦ ପାଚେରିଠାରୁ ଶ୍ରୀମନ୍ଦିର ନୀଳଚକ୍ର ପର୍ଯ୍ୟନ୍ତ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା। ଉତ୍ତରଦ୍ୱାର, ଦକ୍ଷିଣଦ୍ୱାର, ପଶ୍ଚିମ ଦ୍ୱାରରେ ବକ୍ସ ଭଳି ଏକାଧିକ ସ୍ଥାନରେ ବଡ ବଡ ଫୋକସିଂ ଲାଇଟ୍‌ ସବୁ ଲାଗିଥିଲା। ଏହି ଉଚ୍ଚକ୍ଷମତା ସମ୍ପନ୍ନ ଲାଇଟ୍‌ ସିଧାସଳଖ ଶ୍ରୀମନ୍ଦିର ଓ ନୀଳଚକ୍ରରେ ପଡୁଥିଲା। ଏଥିରେ ବଡ଼ଦେଉଳର ସୌନ୍ଦର୍ଯ୍ୟ ଫୁଟି ଉଠିବା ସହ ପରିକ୍ରମା ପ୍ରକଳ୍ପ ବେଶ୍‌ ସୁନ୍ଦର ଲାଗୁଥିଲା। ହେଲେ ଗତ ଗୁରୁବାର ରାତିରେ ଲାଇଟ୍‌ଗୁଡ଼ିକ ଖୋଲି ନିଆଯାଇଥିଲା। ଏହାକୁ ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଥିଲା। ତୁରନ୍ତ ଏହି ଆଲୋକୀକରଣ ବ୍ୟବସ୍ଥା ଚାଲୁ କରିବାକୁ ଦାବି କରିଛନ୍ତି।

ଏହି ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ କରଣ ନେଇ ହୋଇଥିବା ଆଲୋକୀକରଣକୁ କାହିଁକି ହଟାଗଲା ସେ ନେଇ ଅନୁସନ୍ଧାନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ। ଶୁକ୍ରବାର ପ୍ରଶାସନ ପୁନଶ୍ଚ ଲାଇଟ୍‌ ଲଗାଇବାର ବ୍ୟବସ୍ଥା କରିଥିଲା। ତେବେ ଶନିବାର ମୁଖ୍ୟ ଶାସନ ସଚିବ ନିଜେ ପୁରୀ ଆସିଥିଲେ। ପୂର୍ବାହ୍ନରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏ ନେଇ ବସିଥିଲା ରୁଦ୍ଧଦ୍ୱାର ବୈଠକ। ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ଅରବିନ୍ଦ ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍‌ପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ

ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ବେଳେ ବିଭିନ୍ନ ଘରୋଇ ସଂସ୍ଥା ଦ୍ୱାରା ଆଲୋକୀକରଣ ସହିତ ଅନ୍ୟାନ କାମ କରାଯାଇଥିଲା। ପର୍ଯ୍ୟାୟକ୍ରମେ ସେ ସବୁକୁ ଅପସାରଣ କରାଯାଇଥିଲ। ଫୋକସ ଲାଇଟ୍‌ କିନ୍ତୁ ରହିଥିଲା। ସମ୍ପୃକ୍ତ ଇଭେଣ୍ଟ କମ୍ପାନୀ ଗତ ବୁଧବାର ଲାଇଟ୍‌ କାଟି ଦେଇଥିଲା। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଏହାର ତଦନ୍ତ କରାଯାଇଛି। ଶୁକ୍ରବାର ଲାଇଟ୍‌ କାଢୁଥିବା ବେଳେ ସମ୍ପୃକ୍ତ ସଂସ୍ଥାର ୪ ଜଣଙ୍କୁ ଅଟକ ରଖାଯାଇଥିଲା। ସମ୍ପୃକ୍ତ ସଂସ୍ଥା ଯଦି ସୂଚନା ଦେଇ ଲାଇଟ୍‌ କାଢିଥାନ୍ତା ତେବେ ଶ୍ରୀମନ୍ଦିର ପ୍ରଶାସନ ତା’ର ବିକଳ୍ପ ବ୍ୟବସ୍ଥା କରିପାରିଥାନ୍ତା ବୋଲି କହିଛନ୍ତି ଜିଲ୍ଲାପାଳ।

ଏ ସମ୍ପର୍କରେ ଏସ୍‌ପି ପିନାକ ମିଶ୍ର କହିଛନ୍ତି, ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଆଲୋକୀକରଣ ପାଇଁ ଲାଗିଥିବା ଲାଇଟ୍‌ ଏକା ଠିକା ସଂସ୍ଥା କଢି ନେଇଥିବା ଶୁକ୍ରବାର ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରିବା ଲାଗି ମୁଖ୍ୟ ଶାସନ ସଚିବ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆସିଥିଲେ। ଏ ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ମନ୍ଦିର ପ୍ରଶାସନର ଅଭିଯୋଗ ଆଧାରରେ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ କରାଯାଇଛି। କେଉଁ ପରିସ୍ଥିତିରେ ପ୍ରଶାସନକୁ ନ ଜଣାଇ ଲାଇଟ୍‌ ଖୋଲି ନିଆଗଲା ତାହାର ତଦନ୍ତ ଲାଗି ମାମଲାରୁଜୁ ହୋଇଛି

Ad 1