Skip to content

ବିଶ୍ୱ ନାଟ୍ୟ ଦିବସ ପାଳିତ

ସମଗ୍ର ବିଶ୍ଵରେ ମଂଚ ନାଟକର ବ୍ୟାପ୍ତି ସହ ନିର୍ଦ୍ଦେଶକ, ନାଟ୍ୟକାର,କଳାକାର,ମଂଚ ସହଯୋଗୀମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ୧୯୬୨ ମସିହାରୁ ପାଳିତ ହେଉଛି ବିଶ୍ୱ ନାଟ୍ୟ ଦିବସ। ଚଳିତ ବର୍ଷ ନୟାଗଡ଼ର ଦୁଇ ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଞ୍ଚାୟନ ଏବଂ ନାଟ୍ୟଧାରା ର ମିଳିତ ସହଯୋଗରେ ସ୍ଥାନୀୟ ନ୍ୟୁ ଜନତା କଂପ୍ଲେକ୍ସ ପରିସରରେ ପାଳିତ ହୋଇଯାଇଛି ବିଶ୍ୱ ନାଟ୍ୟ ଦିବସ । ନାଟ୍ୟ ଧାରା ର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନାଚକ୍ର ରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ବିଶିଷ୍ଟ ଅତିଥି ନୟାଗଡ଼ ପୈାର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ, ସମ୍ମାନିତ ଅତିଥି ବରିଷ୍ଠ ନାଟ୍ୟକାର ବିଶ୍ୱନାଥମହାପାତ୍ର ଅଭିନେତା ତଥା ନାଟ୍ୟ ଧାରା ସଂପାଦକ ମି.କାଳିଆ ଯୋଗଦେଇ ବିଶ୍ୱ ନାଟ୍ୟ ଦିବସ ପରିପ୍ରେକ୍ଷିରେ ନୟାଗଡ଼ ନାଟକର ବିକାଶ, ପ୍ରଗତି ସହ ସମୃଦ୍ଧ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ।

ମଂଚାୟନର ଉପସଭାପତି ସୁରେନ୍ଦ୍ର କୁମାର ସାହୁ ଏବଂ ସହ- ସଂପାଦକ ଜ୍ଞାନ ପ୍ରକାଶ ବାରିକ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ମଂଚାୟନର ସଭାପତି ନିରଂଜନ ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ଦୂରଦର୍ଶନର ଗାୟକ ବିଶ୍ୱନାଥ ପ୍ରଧାନ ଓ ସାଥୀ ଦାସକାଠି ପରିବେଷଣ କରିଥିଲେ‌। ଇଣ୍ଡିଆନ ଡ୍ୟାନସ୍ ଏକାଡେମୀ ର କଳାକାରମାନେ ଓଡ଼ିଶୀ ନୃତ୍ୟ କରିଥିବା ବେଳେ ଯୁବ କଳାକାର ବିଦ୍ୟାବିଜିତା ମହାନ୍ତି ଏବଂ ଅଭିଲିପ୍ସା ସାହୁଙ୍କ ଏକକ ଅଭିନୟ ଦର୍ଶକଙ୍କୁ ବିଭୋର କରିଥିଲା।

ମଂଚାୟନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ନୟାଗଡ଼ ନାଟକରେ ଯୁବ ପ୍ରତିଭାଙ୍କ ଯୋଗଦାନ ଉପରେ ଗୁରୁତ୍ୱ ଦେବାସହ ନାଟକ କର୍ମଶାଳା ଆୟୋଜନ ବିଷୟରେ ସୂଚନା ଦେଇଥିଲେ ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ ଅଭିନେତା ଓ ନିର୍ଦ୍ଦେଶକ ପ୍ରଶାନ୍ତ ସାମନ୍ତରାୟ।

Ad 1