ଭଗ୍ନ ଅବସ୍ଥାରେ କୁଆଁରିଆ ସେତୁ , ଅବିଳମ୍ବେ ନିର୍ମାଣ ପାଇଁ ଜନସାଧାରଣଙ୍କ ଦାବି।

ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ୍ ଅନ୍ତର୍ଗତ ଖଳିସାହିରୁ ଆଡ଼କଟାକୁ ସଂଯୋଗ କରୁଥିବା ରାସ୍ତାର କୁମ୍ଭାରପଡ଼ା ଗ୍ରାମ ନିକଟରେ ଅବସ୍ଥିତ କୁଆଁରୀଆ ସେତୁଟି ଦୀର୍ଘ ଏକ ବର୍ଷ ହେଲା ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇ ପଡ଼ିରହିଛି। ଭଗ୍ନ ସେତୁ ଉପର ଦେଇ ଯାତାୟାତ ନିମନ୍ତେ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ବାରଣ କରାଯିବା ସହ ପାର୍ଶ୍ୱରେ ଏକ ବିକଳ୍ପ ମାଟିରାସ୍ତା ନିର୍ମାଣ କରାଯାଇଥିଲା।କିନ୍ତୁ କିଛିଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଉକ୍ତ ନଦୀରେ ପ୍ରବଳ ଜଳ ପ୍ରବାହିତ ହେବାରୁ ଗତ ଶନିବାର ରାତିରୁ ନଦୀ ଉପରିସ୍ଥ ଅସ୍ଥାୟୀ ଭାବେ ନିର୍ମିତ ମାଟି ରାସ୍ତାଟି ସମ୍ପୂର୍ଣ ରୁପେ ଧୋଇହୋଇ ଭାଙ୍ଗିଯାଇଛି । ତେଣୁ ରାତି ପାହିଲେ ଯାତାୟାତ କରୁଥିବା ଦୁଇ ଚକିଆ ଯାନ ଠାରୁ ଆରମ୍ଭ କରି ଅଠର ଚକିଆ ଶହ ଶହ ଯାନ ଯିବା ଆସିବା ଠପ୍ ହୋଇଯାଇଛି।

କେତେକ ଦୁଇ ଚକିଆ ଯାନ ଭଗ୍ନ ପୁରୁଣା ବିପଦ ସଙ୍କୁଳ ସେତୁ ଉପର ଦେଇ ନିଜର ଜୀବନକୁ ବାଦି ଲଗାଇ ଚାଲି ଯିବାର ଦେଖା ଦେଇଛି। କିନ୍ତୁ ଅନ୍ୟ ସମସ୍ତ ହାଲୁକା ତଥା ଭାରୀ ଯାନ ଗୁଡ଼ିକ ରାମଚନ୍ଦ୍ର ପୁର ଠାରୁ ସରଧାପୂର୍, ଢୋଲମରାଗ୍ରାମ ଦେଇ ପ୍ରାୟ ସାତ କିଲୋମିଟର ରାସ୍ତା ବୁଲିକରି କୁମ୍ଭାରପଡ଼ା ମୂଖ୍ୟ ରାସ୍ତାରେ ମିଶି ଯାଉଛନ୍ତି। ପୂର୍ତ୍ତ ବିଭାଗ ଅଧିନରେ ଉକ୍ତ ରାସ୍ତା ଓ କୁଆଁରିଆ ସେତୁଟି ରହିଛି।

କୁଆଁରୀଆ ନଦୀ ଉପରେ ଏକ ନୂତନ ସେତୁ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସେତୁ ନିର୍ମାଣ ରେ ଅହେତୁକ ବିଳମ୍ବ ଘଟୁଛି। ଯାହା ଫଳରେ ଆଖ ପାଖ ପଂଚାୟତ ର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଞ୍ଚଳ ବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୁଆଁରୀଆ ସେତୁ ଉପରେ ଏକ ଉଚ୍ଚତମ ସେତୁ ନିର୍ମାଣ ନିମନ୍ତେ ପୂର୍ତ୍ତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ସଚିବ ,ଲୋକପ୍ରତିନିଧି ଓ ମନ୍ତ୍ରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏନେଇ ଖଣ୍ଡପଡା ପୂର୍ତ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଧେଶ୍ୟାମ କାଲୋ କହିଥିଲେ ଯେ ସାଧାରଣ ନିର୍ବାଚନ ଶେଷ ହେବା ପରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। କିନ୍ତୁ ଏ ପର୍ଯ୍ୟନ୍ତ ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ଆନ୍ଦୋଳନର ଦାନା ବାନ୍ଧୁଥିବାର ଜଣା ଯାଉଛି।

You might also like