ନୟାଗଡ ଜିଲ୍ଲା ଭାପୁର ବ୍ଲକ କାର୍ଯ୍ୟାଳୟର ସଭାଗୃହ ପରିସରରେ ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଷଷ୍ଠତମ ସାଧାରଣ ଅଧିବେଶନ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। । ବ୍ଲକ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଣଜିତ୍ କୁମାର ମଲ୍ଲିକଙ୍କ ସଂଯୋଜନାରେ ବ୍ଲକର ବିଭିନ୍ନ ବିଭାଗର ପଦାଧିକାରୀ,ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ ଓ ଧର୍ମେନ୍ଦ୍ର କୁମାର ଧଳ, ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ଓ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗ ଦେଇ ଭାପୁର ବ୍ଲକ ଅଞ୍ଚଳର ମୌଳିକ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ପରାମର୍ଶ ଦେବା ସହ ଭାପୁର ବ୍ଲକ ଅଞ୍ଚଳର ଉନ୍ନତି ପାଇଁ ପଞ୍ଚାୟତର ଜନ ପ୍ରତିନିଧି ତଥା ବିଭିନ୍ନ ବିଭାଗର ପଦାଧିକାରୀ ମାନଙ୍କ ସହଯୋଗ ଲୋଡିଥିଲେ।।

ଉକ୍ତ ବୈଠକରେ ଭାପୁର ବ୍ଲକ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ପଶୁ ସମ୍ପଦ, ପାନୀୟ ଜଳ, ବିଦ୍ୟୁତ୍ ଆଦି ମୌଳିକ ସମସ୍ୟା ଗୁଡ଼ିକର ବିଷୟରେ ଆଲୋଚନା କରାଯାଇଥିଲା। ପୁନଶ୍ଚ ମନରେଗା, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ଶିଶୁ ବିକାଶ, ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ରାସନ୍ କାର୍ଡ, ହରିଶ୍ଚନ୍ଦ୍ର ଯୋଜନା, ପ୍ରତି ମାସର ଜନ୍ମ ମୃତ୍ୟୁ ପଞ୍ଜିକରଣ ତଥ୍ଯ ପ୍ରଦାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ବିଧାୟକ ବ୍ଲକ ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।

ମାତ୍ର ଅଧିବେଶନ ଚାଲିଥିବା ସମୟରେ ବହୁବାର ବିଦ୍ୟୁତ୍ ଲାଇନ୍ କାଟିବା ଯୋଗୁଁ ଅନ୍ଧାରରେ ମଧ୍ୟ ସଭା କାର୍ଯ୍ୟ ଚାଲୁ ରହିଥିଲା। ଯାହାକୁ ନେଇ ବୈଠକରେ ଅସନ୍ତୋଷ ବୃଦ୍ଧି ପାଇଥିଲା।ଶେଷରେ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା। ପଞ୍ଚାୟତ ସମିତିର ଗ୍ରାମ ପଞ୍ଚାୟତ ଅଧିକାରୀ ଅଭିନାଶ ପତି ସମସ୍ତ କାର୍ଯ୍ୟକୁ ସୁପରିଚାଳନା କରିବାରେ ସହଯୋଗ କରିଥିଲେ।