ରଣପୁର,୧୨/୧: ‘ସଙ୍ଗୀତଧାରା’ (ସ୍ୱର ସଙ୍ଗୀତର ମଧୁମୟ ଝଙ୍କାର),ନୟାଗଡ଼ ଆୟୋଜିତ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତା ତିନି ଗୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି । ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ନୟାଗଡ଼ ବ୍ଲକ୍ ଏବଂ ଓଡ଼ଗାଁ ବ୍ଲକ୍କୁ ନେଇ ନୟାଗଡ଼ଠାରେ, ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକ୍କୁ ନେଇ ଦଶପଲ୍ଲାରେ, ଖଣ୍ଡପଡ଼ା, ଭାପୁର ବ୍ଲକ୍ର ପ୍ରତିଯୋଗୀମାନେ ଖଣ୍ଡପଡ଼ା ଠାରେ ଏବଂ ରଣପୁର ବ୍ଲକ୍ର ପ୍ରତିଯୋଗୀମାନେ ରଣପୁର ଠାରେ ସ୍ଥିରୀକୃତ ହୋଇଥିବା କେନ୍ଦ୍ରରେ ବାଦ୍ୟଯନ୍ତ୍ର ବ୍ୟତୀତ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଅଛି ।
ପ୍ରକାଶ ଥାଉକି ଇତିମଧ୍ୟରେ ନୟାଗଡ଼-ଓଡ଼ଗାଁ , ଖଣ୍ଡପଡ଼ା-ଭାପୁର ଏବଂ ଦଶପଲ୍ଲା-ନୂଆଗାଁ-ଗଣିଆ ବ୍ଲକରେ ପ୍ରତିଯୋଗିତା ଶେଷ ହୋଇଥିବା ସ୍ଥଳେ ଆସନ୍ତା ୨୧ ଜାନୁଆରୀ ୨୦୨୪ (ରବିବାର) ଦିନ ସକାଳ ୯ଘଣ୍ଟା ସମୟରେ ରଣପୁର ବ୍ଲକର ପ୍ରତିଯୋଗିତା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ରଣପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ତହିଁରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ ଗ୍ରହଣ କରି ପାରିବେ । ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସଂଗୀତ ଅନୁଷ୍ଠାନ ଓ ଏହା ବାହାରେ ଥିବା ପୁଅଝିଅମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ।
ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ,ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ କ୍ରମାନ୍ୱୟେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରସ୍କାର ପ୍ରଦାନ ସକାଶେ ସ୍ଥିର କରାଯାଇଅଛ। ସଙ୍ଗୀତଧାରା ପକ୍ଷରୁ ରଣପୁର କ୍ଷୁଦ୍ର ଜଳସେଚନ ବିଭାଗ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ନାଟ୍ୟଭୂଷଣ ଡ.ବିଜୟ ଚୌଧୁରୀ, ସମ୍ପାଦକ ପ୍ରଶାନ୍ତ ଦାଶ, ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ , ସଂଯୋଜକ ଲକ୍ଷ୍ମୀଧର ସାହୁ, କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ସତ୍ୟନାରାୟଣ ମହାପାତ୍ର ଏବଂ ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।