ରାଜ୍ୟ ଆମ୍ୱେଦକର ବିଚାରମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ରାଜ୍ୟ ଆମ୍ବେଦକର ବିଚାର ମଞ୍ଚ ଓ ଆମ୍ବେଦକର ସେବକ ସଂଘମିଳିତ କ୍ରିୟା ନୁଷ୍ଠାନ କମିଟି ପକ୍ଷରୁ ଆଜି ଏକ ଶୋଭାଯାତ୍ରା କରାଯାଇଛି । ନୟାଗଡ଼ ବ୍ଲକ ଠାରୁ ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ସେମାନଙ୍କ ଦାବି ମୁତାବକ ଭାରତର ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକର ଙ୍କ ଦ୍ଵାରା ପ୍ରଣୀତ ସମ୍ବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ପୂର୍ଣ୍ଣାଙ୍ଗ ହୋଇଥିଲା । ଏହାକୁ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ଦିନ ଆମ୍ଭ ଦେଶରେ ଲାଗୁ କରାଯାଇଥିଲା ।
ସମ୍ବିଧାନ ୧୭ଧାରାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଅଛି ଯେ ଆଜିଠାରୁ ଦେଶରୁ ଅସୃଶ୍ୟ ନିବାରଣ ହୋଇଗଲା । ମାତ୍ର ସମ୍ବିଧାନ କାର୍ଯ୍ୟକାରୀ ହେବାର ୩୯ ବର୍ଷ ପରେ ମଧ୍ୟ ଦେଶରୁ ଅସୃଶ୍ୟ ନିବାରଣ ହୋଇ ନାହିଁ ଓ ଏହି ଅସୃଶ୍ୟତା ଘଣଟାକୁ କେନ୍ଦ୍ର କରି ଅନୁସୂଚିତ ଜାତି ଓ ଜନଜାତିର ଲୋକ ମାନଙ୍କ ଉପରେ ଘୋର ନିର୍ଯ୍ୟାତନା କରାଯାଉଅଛି ବୋଲି ୧୯୮୯ ମସିହାରେ କେନ୍ଦ୍ର ସରକାର ଅନୁଧ୍ୟାନ କରି ଜାଣିପାରିଥିଲେ । ତେଣୁ ଏହି ଦୁଇ ବର୍ଗଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ନିବାରଣ ପାଇଁ ୧୯୮୯ ମସିହାରେ ଏକ ସ୍ଵତନ୍ତ୍ର ନିୟମ ଓ ୧୯୯୫ ମସିହାରେ ଆଉ ଏକ ନିୟମାବଳୀ କେନ୍ଦ୍ର ସରକାର ପ୍ରଣୟନ କରିଛନ୍ତି । କିନ୍ତୁ ଏହି ନିୟମକୁ ନୟାଗଡ଼ ଜିଲ୍ଲାରେ ଠିକ୍ ରୂପେ କାର୍ଯ୍ୟକାରୀ କରାଯାଉନଥିବାରୁ ଉକ୍ତ ଜିଲ୍ଲାର ଯେଉଁ ରାଜସ୍ଵ ଗ୍ରାମରେ ସବର୍ଣ୍ଣଙ୍କ ତୁଳନାରେ ଶତକଡା ୩୦ଭାଗରୁ କମ୍ ସଂଖ୍ୟକ ଅନୁସୂଚିତ ଜାତିର ଲୋକ ବସବାସ କରୁଛନ୍ତି ସେମାନଙ୍କ ଉପରେ ଅକଥନୀୟ ନିର୍ଯ୍ୟାତନା କରାଯାଉଅଛି । ଏପରିକି ସେମାନଙ୍କ ଧନଜୀବନ କ୍ଷୟକ୍ଷତି ହେଉଅଛି । ସଂଘର ସଭାପତି ଦେବରାଜ ନାୟକ, ସାଧାରଣ ସମ୍ପାଦକ ମନୋରଞ୍ଜନ ଜେନା, ଉପାଧ୍ୟକ୍ଷ ଦୈତାରୀ ନାୟକ ଓ କୋଷାଧ୍ୟକ୍ଷ କ୍ଷୀରୋଦ କୁମାର ନାୟକ ଏକ ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।