ଗଣିଆ – ଗଣିଆ ବ୍ଳକ ପରିସରରେ କୃଷି ଓ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା କୃଷି ବିଭାଗ ଆନୁକୁଲ୍ୟରେ ଗଣିଆ ଉନ୍ନୟନ କମିଟି ସହଯୋଗରେ ଶ୍ରୀ ଅନ୍ନ ଯୋଜନା ସଚେତନତା ରଥ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବିଡ଼ିଓ ରତନଲାଲ ଲୋହରା, ସିଡିପିଓ ଉଷାରାଣୀ ସାହୁ,ଗଣିଆ ଉନ୍ନୟନ କମିଟି ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା,କୃଷି ବିଭାଗ କର୍ମଚାରୀ ତଥା ବ୍ଳକର ବିଭିନ୍ନ କର୍ମଚାରୀ ଉପସ୍ଥିତ ଥିଲେ । ଏହି ରଥ ଗଣିଆ ବ୍ଳକର ବିଭିନ୍ନ ପଞ୍ଚାୟତରେ ପରିକ୍ରମା କରି ଜନସାଧାରଣଙ୍କୁ ଶ୍ରୀ ଅନ୍ନ ଯୋଜନା ସମ୍ପର୍କରେ ସଚେତନ କରିବ ବୋଲି ଗଣିଆ ଉନ୍ନୟନ କମିଟି ସଭାପତି ଉଷା ପଟ୍ଟନାୟକ ପ୍ରକାଶ କରିଛନ୍ତି । ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟ ମାନଙ୍କ ଦ୍ବାରା ଖାଦ୍ୟ ମେଳାର ଆୟୋଜନ କରାଯାଇ ପୁଷ୍ଟିଶସ୍ୟ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କେତେ ହିତକର ସେ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଉଥିବା ସେ ଜଣାଇଛନ୍ତି ।
ମାଣ୍ଡିଆ ଶରୀର ପାଇଁ ଅନେକ ଉପକାରୀ ଖାଦ୍ୟ ରୂପେ ପରିଗଣିତ । ଯାହା ଦିନେ ଗରୀବଙ୍କ ଖାଦ୍ୟ ଥିଲା ତାହା ଏବେ ଧନୀ ଲୋକଙ୍କର ଜୀବନ ପାଲଟିଛି । ମାଣ୍ଡିଆର ଚାହିଦାକୁ ନଜର କରି ସରକାର ମାଣ୍ଡିଆ ଚାଷକୁ ଅତ୍ୟନ୍ତ ଗୁରୁତ୍ବ ଦେଉଛନ୍ତି । ସରକାର ଚଳିତ ବର୍ଷ ମଣ୍ଡିରେ ମାଣ୍ଡିଆ କ୍ଵିଣ୍ଟାଲ ପିଛା ଦର ୪୨୯୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ଯାହାକି ମାଣ୍ଡିଆ ଚାଷୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିବ ବୋଲି ଜଣାପଡିଛି । ପୂର୍ବରୁ ଏହି ଦର ୩୮୪୬ ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ସରକାର ମାଣ୍ଡିଆର ଦରବୃଦ୍ଧି କରିଥିବା ଜଣାପଡିଛି ।