ଭାପୁର ବ୍ଲକ ୪୮ ନମ୍ବର ରାଜ୍ୟ ରାଜପଥର ଫତେଗଡ ଗ୍ରାମ ଠାରୁ ପଥରଚକଡା଼ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ନାଁ’ରେ ଗମନାଗମନ ପାଇଁ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ମୁଖ୍ୟ ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ରାସ୍ତାରେ ୨ ଫୁଟ୍ ଗର୍ତ୍ତ ହୋଇ ପାଣି ଜମୁଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଥିବାର ନଜିର ରହିଛି। ଏପରିକି ପ୍ରତିଦିନ ଭାରିଯାନ ଚଳାଚଳ ଯୋଗୁଁ ଛୋଟବଡ ଦୁର୍ଘଟଣା ମାନ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ତେଣୁ, ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ୪୮ ନମ୍ବର ରାଜ୍ୟ ରାଜପଥ ଲୋକଙ୍କ ପାଇଁ ମରଣଯନ୍ତା ସଦୃଶ୍ୟ ହୋଇଛି। ଫତେଗଡ ଗ୍ରାମ ଠାରୁ କଣ୍ଟିଲୋ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କରିବା ପାଇଁ ଏକ ଠିକା ସଂସ୍ଥା ପୂର୍ତ୍ତ ବିଭାଗ ଠାରୁ ଟେଣ୍ଡର ପାଇ ଆସନ୍ତା ୨୦୨୫ ମସିହା ମାର୍ଚ୍ଚ ମାସରେ ଶେଷ କରିବା ନିମନ୍ତେ ଚୁକ୍ତି ହୋଇଛି। କିନ୍ତୁ ଠିକାଦାର ସଂସ୍ଥା ରାସ୍ତା ପ୍ରଶସ୍ତିକରଣ ନାଁ’ରେ ବିଭିନ୍ନ ସ୍ଥାନରେ ରାସ୍ତାକୁ ଖୋଳି ତାଡି ପକେଇଦେବା ଯୋଗୁଁ ଜନସାଧାରଣ ଯାତାୟତରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ବର୍ତ୍ତମାନ କିଛି ଦିନ ହେଲା ରାସ୍ତା କାର୍ଯ୍ୟ ବନ୍ଦ ରହିଥିବାରୁ ଅଧାପନ୍ତରିଆ ରାସ୍ତା ଜନସାଧାରଣଙ୍କ ପାଇଁଁ ମରଣଯନ୍ତା ପାଲଟିଛି। ୪୮ ନଂ ରାଜ୍ୟ ରାଜପଥର ମାଧପୁର ଗ୍ରାମ ଠାରେ ରାସ୍ତା ମଝିରେ ବଡ ବଡ ଖାଲ ସୃଷ୍ଟି ହୋଇ ପାଣି ଜମି ରହିଥିବା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ବର୍ତ୍ତମାନ ଉକ୍ତ ରାସ୍ତାରେ ଦୈନନ୍ଦିନ ଦ୍ରୁତଗାମୀ ବସ୍, ଯାତ୍ରୀବାହୀ ବସ୍, ମାଲବାହି ଗାଡ଼ି, ହାଇୱା ଗାଡ଼ି, ଭି. ଆଇ.ପି. ମାନଙ୍କ ଗାଡ଼ି, ଓ ଜିଲ୍ଲାପାଳ, ଏସ.ପି., ଅଗ୍ନିଶମ ଓ ଆମ୍ବୁଲାନ୍ସ ଯାତାୟାତ କରୁଥିଲେ ମଧ୍ୟ ଅଧାପନ୍ତରିଆ ରାସ୍ତା ପ୍ରତି କାହାର ଦୃଷ୍ଟି ପଡୁନାହିଁ। ବର୍ତ୍ତମାନ ବର୍ଷାଦିନ ହୋଇଥିବାରୁ ରାସ୍ତା ମାନଙ୍କରେ ଥିବା ଖାଲ ଗୁଡିକରେ ବାଇକ୍ ଚକା ପଡ଼ି ଦୁର୍ଘଟଣା ଘଟୁଛି। ତେବେ ଉକ୍ତ ରାସ୍ତା କାର୍ଯ୍ୟକୁ ଶୀଘ୍ର ମରାମତି କରିବା ନିମନ୍ତେ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।