ଓଡ଼ଗାଁ,୨୯/୯:( ) ‘ସଙ୍ଗୀତଧାରା’ (ସ୍ୱର ସଙ୍ଗୀତର ମଧୁମୟ ଝଙ୍କାର),ନୟାଗଡ଼ ଆୟୋଜିତ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଅଡିସନ ଓଡ଼ଗାଁ ଠାରେ ଆସନ୍ତା ଅକ୍ଟୋବର ୬ ତାରିଖରେ ଅନୁଷ୍ଠିତ ହେବ । ଓଡ଼ଗାଁ କଲେଜ ରୋଡ଼ରେ ଥିବା ରେସପ୍ଲସ ଏକାଡେମୀ ଅଫ କ୍ୟାରିୟର ଆଣ୍ଡ ଏଡ଼ୁକେସନ ଶିକ୍ଷା ଅନୁଷ୍ଠାନରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ହେବା ପାଇଁ ସ୍ଥିର କରାଯାଇଅଛି । ଏଥିରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ ଗ୍ରହଣ କରି ପାରିବେ ।
ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସଂଗୀତ ଅନୁଷ୍ଠାନ ଓ ଏହା ବାହାରେ ଥିବା ପୁଅଝିଅମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ,ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ କ୍ରମାନ୍ୱୟେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରସ୍କାର ପ୍ରଦାନ ସକାଶେ ସ୍ଥିର କରାଯାଇଅଛି । ସଙ୍ଗୀତଧାରା ପକ୍ଷରୁ ଓଡ଼ଗାଁ ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀ, ସମ୍ପାଦକ ପ୍ରଶାନ୍ତ କୁମାର ଦାଶ, ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ , ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ସମେତ ପ୍ରଶାନ୍ତ ପଟ୍ଟନାୟକ, ଅଶୋକ କୁମାର ମଲ୍ଲ ପ୍ରମୁଖ ସଦସ୍ୟ ମାନେ ଯୋଗଦେଇ ଥିଲେ l