ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ, ଭାପୁର ବ୍ଲକ ଅନ୍ତର୍ଗତ ଫତେଗଡ଼ ପଂଚାୟତର ମଣିପୁର ଗ୍ରାମରେ,ଅଗ୍ନିକାଣ୍ଡ ଘଟି ଦୁଇ ପରିବାରଙ୍କ ଥିବା ୪ବଖରା ଚାଳ ଛପର ଘର ସହ ଧାନ, ଚାଉଳ, ରବି ଫସଲ, ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଘଟିଥିବା ଦୁଇ ପରିବାର ହେଲେ ଯୁଗଳ ଖଟେଇ ଏବଂ ଗଡୁଆ ଖଟେଇ। ସୂଚନା ଅନୁଯାୟୀ,ପ୍ରଚଣ୍ଡ ଖରା ଏବଂ ଉତ୍ତାପ ରହିଥିବାରୁ କୌଣସି କାରଣରୁ ଯୁଗଳଙ୍କ ଘରର ପଛପଟୁ ଚାଳଛପର ଘରେ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ ଚାହୁଁଚାହୁଁ ନିକଟରେ ଥିବା ଗଡୁଆଙ୍କ ଚାଳ ଛପର ଘରେ ନିଆଁ ଲାଗିଯାଇଥିଲା। ଗ୍ରାମବାସୀ ମାନେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରି ନଥିଲେ। ଏନେଇ ଭାପୁର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।
ତେବେ ଖବର ପାଇ ଭାପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଁଆକୁ ଆୟତ୍ତ କରିଥିଲେ ମଧ୍ୟ ଘରେ ଥିବା ଲୁଗାପଟା, ଧାନ, ଚାଉଳ, ରବି ଫସଲ ଏବଂ ଆସବାପତ୍ର ପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଓ ସ୍ଥାନୀୟ ପଂଚାୟତର ସମିତିସଭ୍ୟଙ୍କ ପ୍ରତିନିଧି ଅମ୍ବିକା ସୁବୁଦ୍ଧି ଅଗ୍ନି ବିପନ୍ନ ମାନଙ୍କ ପାଖରେ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅଗ୍ନି ବିପନ୍ନ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ଖଣ୍ଡିଏ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଥିବାର ଜଣାପଡିଛି।