ଅଧ୍ୟୟନ ଓ ଗବେଷଣା ପାଇଁ ସମର୍ପିତ ଥିଲା ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନ

…………………………….
ସାରା ଜୀବନ ଅଧ୍ୟୟନ ଓ ଗବେଷଣାରେ ନିମଗ୍ନ ଥିବା ମହାନ୍ ସାହିତ୍ୟିକ ପଣ୍ଡିତ ବିନାୟକ ମିଶ୍ର ସାମାଜିକ, ଆର୍ଥିକ, ପାରିବାରିକ ଦୁଃଖକଷ୍ଟକୁ ଭୃକ୍ଷେପ ନକରି ସାହିତ୍ୟ ଗବେଷଣାକୁ ଜୀବନର ବ୍ରତ ଭାବେ ଗ୍ରଦଣ କରିଥିଲେ । ମାତ୍ର ସପ୍ତମ ଶ୍ରେଣୀ ପାଠ ପଢିମଧ୍ୟ ନିଜର ଅସାଧାରଣ ଜ୍ଞାନ ପାଇଁ କଲିକତା ବିଶ୍ଵବିଦ୍ୟାଳୟର ଅଧ୍ୟାପକ ହୋଇପାରିଥିଲେ । କିନ୍ତୁ ସେଠାରେ ମିଳୁଥିବା ଦରମାକୁ ସେ ଖର୍ଚ୍ଚ କରିଦେଊଥିଲେ ପୁସ୍ତକ କିଣା ଓ ଗବେଷଣା କାର୍ଯ୍ୟରେ ଫଳରେ ଜୀବନର ଅନ୍ତିମ ସମୟରେ ରହିବା,ଖାଇବା ସହ ଅସୁସ୍ଥତା ଯୋଗୁଁ ଔଷଧ ପାଇଁ ମଧ୍ୟ କଷ୍ଟ ସହିବାକୁ ପଡିଥିଲା।ସେ ଥିଲେ ସ୍ୱାଭିମାନୀ,କାହାପାଖରେ ହାତପାତିବାକୁ ପସନ୍ଦ କରୁନଥିଲେ। ବାସ୍ତବରେ ଜୀବନର ଭଂଗା ଦୀପର ଉଜ୍ଜ୍ୱଳତମ ଶିଖା ଥିଲେ ପଣ୍ଡିତ ବିନାୟକ ମିଶ୍ର। ତାଙ୍କ ରଚିତ ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟ ଇତିହାସ (୧୯୨୯), ଓଡ଼ିଆ ସାହିତ୍ୟ ପ୍ରକାଶ, ଭାରତୀୟ ଦର୍ଶନ ପ୍ରବେଶିକା, ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ (୧୯୬୮), Dynasties of Medieval Orissa, Orissa under Bhauma king, Indian culture and cult of Jagannath ସାହିତ୍ୟର ଅମୂଲ୍ୟ ସଂପଦ ବୋଲି ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ତଥାସ୍ତୁ ଆନୁକୂଲ୍ୟରେ ଆୟୋଜିତ ପଣ୍ଡିତ ବିନାୟକ ମିଶ୍ରଙ୍କ ୧୩୧ ତମ ଜୟନ୍ତୀ ନୟାଗଡ଼ ପଞ୍ଚାୟତ ସମିତି ନୂତନ ସଭାକକ୍ଷରେ ସୁସାହିତ୍ୟିକା ବସିରନ୍ ବିବି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଜୟନ୍ତୀ ସମାରୋହରେ ନୟାଗଡ଼ର ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜ୍ଞାନ ଡିଗ୍ରୀ ମଧ୍ୟରେ ସୀମାବଦ୍ଧ ନୁହେଁ ଯାହାର ଯଥାର୍ଥ ନିଦର୍ଶନ ହେଉଛନ୍ତି ପଣ୍ଡିତ ବିନାୟକ ମିଶ୍ର। ଜୟନ୍ତୀ ପାଳନର ପ୍ରକୃତ ମର୍ମ ହେଉଛି ତାଙ୍କ କୃତି କୁ ଉଜ୍ଜିବୀତ କରିବା ସହ ଲୋକଲୋଚନକୁ ଆଣିବା ଏବଂ ବର୍ତ୍ତମାନ ସମୟରେ ତାଙ୍କ କାର୍ଯ୍ୟର ପ୍ରଭାବ ବିଷୟରେ ଅବଗତ କରାଇବା ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଭାଷା ସାହିତ୍ୟର ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ଶିକ୍ଷାବିତ୍, ସୁବକ୍ତା ଅଶୋକ କୁମାର ନାୟକ ଯୋଗଦେଇ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନୀ,ସାଧନା ଉପରେ ଆଲୋକପାତ କରିଥିଲେ। ଏହି ସାରସ୍ବତ ସମାବେଶରେ ବସିରନ୍ ବିବିଙ୍କ କବିତା ପୁସ୍ତକ ‘ ପ୍ରତ୍ୟାଶା ‘ ଏବଂ ପ୍ରଭାସିନୀ ବରାଡଙ୍କ କବିତା ପୁସ୍ତକ ‘ ଅନ୍ତୁଡିରୁ ଜୁଇ” ଲୋକାର୍ପିତ ହେବାସହ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଶତାଧି +୨,+୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା,ସାଧାରଣ ଜ୍ଞାନ, କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଦୁଇଟି କବିତା ପୁସ୍ତକର ସମୀକ୍ଷା କରିଥିଲେ ଗୋଦାବରୀଶଙ୍କ ମିଶ୍ର, ଡ. ବାନାମ୍ବର ପୃଷ୍ଟି, ଡ.ଆଶୁତୋଷ ମିଶ୍ର, ନିଳୀମା ନନ୍ଦ, ଗୋପୀନାଥ ସେଠୀ। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ତଥାସ୍ତୁର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ଗୋକୁଳ କୁମାର ଷଡଙ୍ଗୀ।

You might also like