ନୟାଗଡ଼ କେସି କ୍ଲବର ବରିଷ୍ଠ ସଦସ୍ୟ ଅବଦୁଲ ଅରିଫ ଖାଁଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ତଥା ଶୋକ ସଭା କେସି କ୍ଳବ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କ୍ଳବ ସଭାପତି ଭାଗିରଥି ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ କ୍ଳବ ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ, ବରିଷ୍ଠ ସଦସ୍ୟ ତଥା ସାମ୍ବାଦିକ ରାମକୃଷ୍ଣ ରଥ,ଲକ୍ଷ୍ମୀଧର ସାହୁ ପ୍ରମୁଖ ସ୍ବର୍ଗତ ଖାଁଙ୍କ ସ୍ମୃତିଚାରଣ କରିବା ସହିତ ସେ ଜଣେ ସରଳ, ଅମାୟିକ ତଥା ସ୍ନେହୀ ଏବଂ ଦରଦୀ ମଣିଷ ଭାବେ ସମସ୍ତଙ୍କ ନିକଟରେ ଅତି ଆପଣାର ଥିଲେ ବୋଲି ବର୍ଣ୍ଣନା କରିଥିଲେ।
ସ୍ବର୍ଗତ ଅରିଫ ଖାଁ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ବିଭିନ୍ନ ସଂଗଠନ ସହିତ ଯୋଡ଼ି ହୋଇ ରହିଥିଲେ। ସୂଚନା ଯୋଗ୍ୟ ଯେ ସେ ଗତ ଦୁଇ ଦିନ ଧରି ସାମାନ୍ୟ ଜ୍ବରରେ ଆକ୍ରାନ୍ତ ଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ଅନ୍ୟ ପକ୍ଷରେ ଗତ ବର୍ଷ ସେ ନୟାଗଡ଼ ରୋଟାରୀ କ୍ଲବର ସଭାପତି ଥିଲେ। ଗତ ଦୁଇଦିନ ତଳେ ସେ ନୟାଗଡ଼ କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।