Skip to content

ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଏନଏସି ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକ, ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି

ଜାତୀୟ ଏବଂ ରାଜ୍ୟ ରାଜପଥ ପାଶ୍ୱର୍ରେ ଥିବା ନୟାଗଡ଼ ସହରର ସମସ୍ତ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଗୁଡିକ ରୂପାନ୍ତରିତ ହୋଇ ନୂତନ ରୂପରେଖ ପାଇ ଉଦଘାଟିତ ସାରିଥିବା ବେଳେ ଏନଏସି ଉଚ୍ଚ ବିଦ୍ୟାୟଳର ମୁଖ୍ୟ ଫାଟକ କାର୍ଯ୍ୟ ଦୀର୍ଘ ୩ମାସରୁ ଉର୍ଦ୍ଧ୍ଵ ସମୟ ଧରି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି । ଫଳରେ ଫାଟକ ନଥିବାରୁ ସନ୍ଧ୍ୟା ସମୟରେ ବିଦ୍ୟାଳୟ ପରିସରରେ ନିଶାଡ଼ି ତଥା ଅସାମାଜିକ ଲୋକମାନଙ୍କ ପାଦୁର୍ଭାବ ବୃଦ୍ଧି ପାଇବା ଲାଗିଛି ।ଏପରିକି ସନ୍ଧ୍ୟା ସମୟରେ ବିଦ୍ୟାଳୟ ପରିସରରେ ଅସାମାଜିକ ଲୋକମାନେ ଝାଡ଼ା ପରିସ୍ରା କରିବା ସହିତ ମଦ୍ୟପାନ କରୁଥିବାରୁ ବିଦ୍ୟାଳୟ ପରିସର ଅପରିଷ୍କାର ଏବଂ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ୫୭ ନଂ ଜାତୀୟ ରାଜପଥ ପାଶ୍ୱର୍ ତଥା ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ଶହେ ମିଟର ଦୂରରେ ଅବସ୍ଥିତ ଏହି ବିଦ୍ୟାଳୟଟି ଗତ ବର୍ଷ ୫-ଟି ବିଦ୍ୟାଳୟରେ ରୂପାନ୍ତରିତ ହୋଇଥିଲା । ଫଳରେ ବିଦ୍ୟାଳୟ ପରିସରଟି ବିଭିନ୍ନ ଫୁଲ ଗଛରେ ଶୋଭା ବର୍ଦ୍ଧନ କରୁଥିବା ବେଳେ ବର୍ତ୍ତମାନ ମୁଖ୍ୟ ଫାଟକ ନଥିବାରୁ ଏହା ମଧ୍ୟ କୁ ଗାଈଗୋରୁ,ବୁଲା ଷଣ୍ଢ ଇତ୍ୟାଦି ପ୍ରବେଶ କରି ବହୁ ମୂଲ୍ୟ ବାନଗଛ ଆଦିକୁ ଖାଇ ନଷ୍ଟ କରି ସାରିଲେଣି । ସେହିପରି ଅର୍ଦ୍ଧ ନିର୍ମିତ ମୁଖ୍ୟ ଫାଟକ ସାମନାରେ ବାଉଂଶ, ଇଟା, ଗୋଡ଼ି, ବାଲି ଆଦି ଗଦା ହୋଇ ରହିବା ଦ୍ଵାରା ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ପ୍ରବେଶ କରିବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଇତି ମଧ୍ୟରେ ବିଦ୍ୟାଳୟରେ ଓଡିଶା ବୋର୍ଡ଼଼ ଦ୍ଵାରା ପରିଚାଳିତ ମାଟ୍ରିକ ପରୀକ୍ଷା, ବିଦ୍ୟାଳୟର ବାର୍ଷିକ ପରୀକ୍ଷା , ନିର୍ବାଚନ ତାଲିମ ଶିବିର,ବିଭିନ୍ନ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟ ଆଦି ଚାଲିଥିବା ବେଳେ ଅର୍ଦ୍ଧ ନିର୍ମିତ ଫାଟକ ଯୋଗୁଁ ନାନା ସମସ୍ୟା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ବିଦ୍ୟାଳୟର ମୁଖ୍ୟ ଫାଟକ ନ ଥିବାରୁ ବିଦ୍ୟାଳୟ ପରିସରରୁ ଅନେକ ମୂଲ୍ୟବାନ ଗଛ ଚୋରୀ ହୋଇ ଯାଇଥିବା ବେଳେ ବିଦ୍ୟାଳୟ ସମ୍ପତ୍ତିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ମୁଖ୍ୟ ଫାଟକ କାର୍ଯ୍ୟ ଶେଷ କରିବାକୁ ଅଭିଭାବକ, ସ୍ଥାନୀୟ ଜନସାଧାରଣ ତଥା ପୁରାତନ ଛାତ୍ର ଛାତ୍ରୀ ମାନେ ଦାବି ଜଣାଇଛନ୍ତି । ନୟାଗଡ଼ ରୁ ଜିତୁନ୍‌ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

Ad 1