“ଆମ ବିଦ୍ୟାଳୟ ଆମ ଗୌରବ” ର ସଂକଳ୍ପ ନେଲେ ଅଭିଭାବକ…
ରାଜ୍ୟସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ରାଜ୍ୟସ୍ତରୀୟ ଦ୍ଵିତୀୟ ଅଭିଭାବକ ଓ ଶିକ୍ଷକ ସଂଘର ବୈଠକ ପୁରାତନ ସଭାପତି ତଥା ବର୍ତ୍ତମାନ କମିଟିର ବରିଷ୍ଠ ସଦସ୍ୟ ସନ୍ତୋଷ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ଶତାଧିକ ଅଭିଭାବକ ଉପସ୍ଥିତ ହୋଇ ସରକାରଙ୍କ ପ୍ରଦତ୍ତ ବିଷୟବସ୍ତୁ ଉପରେ ସନ୍ତୋଷଜନକ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କୁ ସ୍ବାଗତକରି ବୈଠକର ଆଭିମୁଖ୍ୟ ପ୍ରଦାନ୍ କରିଥିଲେ। ପରେ ପରେ ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସରକାରଙ୍କ ସୂଚିତ ବିନ୍ଦୁ ଉପରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ। ତତ୍ ସହିତ ଛାତ୍ରଛାତ୍ରୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷା ସମେତ ମଧ୍ୟାହ୍ନ ଭୋଜନ ଉପରେ ଆଲୋଚନା ହୋଇଥିଲା।

ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସନ୍ତୋଷ ଜନକ ଶିକ୍ଷାଦାନ ପ୍ରଣାଳୀ, ବିଦ୍ୟାଳୟ ହତାରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ, ଶାରୀରିକ ଶିକ୍ଷା, ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିଦ୍ୟାଳୟ ସୁପରିଚାଳନା ତଥା ଉନ୍ନତିମୂଳକ କର୍ଯ୍ୟକୁ ଅଭିଭାବକ ମାନେ ଉଚ୍ଚ ପ୍ରଶଂସା କରିଥିଲେ। ବିଦ୍ୟାଳୟ ସମ୍ମୁଖ ପାଚେରୀ କଡ଼ରେ ବାରମ୍ବାର ତାଗିଦ୍ ସତ୍ତ୍ୱେ କିଛି ଲୋକ ଅଳିଆ ଆବର୍ଜନା ପକାଉଥିବାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଆଗାମୀ ସ୍ବଚ୍ଛତା ପକ୍ଷରେ ସଭିଏଁ ମିଳିମିଶି ବିଦ୍ୟାଳୟ ସାମ୍ନା ଓ ହତାକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ସବୁ ପିଲା ସ୍କୁଲ୍ ଆସିବା ପାଇଁ ସରକାରଙ୍କ ଆହ୍ବାନ “ଆସ ଆମେ ସ୍କୁଲ୍ ଯିବା” କୁ ସାକାର କରିବା ଓ ବର୍ତ୍ତମାନର ସରକାରଙ୍କ ସବୁ ଯୋଜନାକୁ ଅଭିଭାବକ ମାନଙ୍କ ସହଯୋଗ ନେଇ ବିଦ୍ୟାଳୟରେ ସଠିକ୍ କାର୍ଯ୍ୟକାରୀ କରିବା ତଥା ବିଦ୍ୟାଳୟକୁ ସର୍ବାଙ୍ଗ ସୁନ୍ଦର୍ କରି ଗଢିବା ପାଇଁ ପ୍ରଧାନଶିକ୍ଷୟିତ୍ରୀଙ୍କ ପ୍ରସ୍ତାବକୁ ସଭିଏଁ ଏକମତ ହୋଇ “ଆମ ବିଦ୍ୟାଳୟ ଆମ ଗୌରବ” ସଂକଳ୍ପ ନେଇଥିଲେ। ପରିଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ମଧୁସ୍ମିତା ସାହୁ ଧନ୍ୟବାଦ ଦେଇଥିଲେ।