ଓଡ଼ିଶା କୃଷକ ସଭା ର ୨୫ ତମ ରାଜ୍ୟ ସମ୍ମିଳନୀ ରେ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସହ କୃଷି ର ଘରୋଇ କରଣ ବନ୍ଦ ପାଇଁ ଆହ୍ବାନ

ରଣପୁର ୨୮ ଅକ୍ଟୋବର :— ଶହୀଦ୍ ରଘୁ ଦିବାକର ଙ୍କ ରକ୍ତ ତୀର୍ଥ ଐତିହାସିକ ରଣପୁର ମାଟିର ମଣିନାଗ ପୀଠରେ ଗତ ଅକ୍ଟୋବର ୨୬ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା କୃଷକ ସଭା ର ୨୫ ତମ ରାଜ୍ୟ ସମ୍ମିଳନୀ ର ପ୍ରତିନିଧି ଅଧିବେଶନ ଆଜି ଶେଷ ହୋଇଛି। ସଙ୍ଗଠନ ର ଲାଲ ଝଣ୍ଡା କୁ ରାଜ୍ୟ ସଭାପତି ସାଥୀ ଜମ୍ବେଶ୍ଵର ସାମନ୍ତରାୟ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରି ଥିଲା ବେଳେ ସଙ୍ଗଠନ ର ରାଜ୍ୟ ଓ କେନ୍ଦ୍ରୀୟ ନେତୃବୃନ୍ଦ ଙ୍କ ସମେତ ପ୍ରତିନିଧି ମାନେ ଶହୀଦ୍ ବେଦିରେ ମାଲ୍ୟାର୍ପଣ କରିଥିଲେ।ଗତ ତିନି ବର୍ଷ ମଧ୍ୟରେ ଗଣତାନ୍ତ୍ରିକ ଆନ୍ଦୋଳନ ରେ ଶହୀଦ୍ ହୋଇ ଥିବା ସାଥୀ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କ ଉଦ୍ଦେଶ୍ୟରେ ସମ୍ମିଳନୀ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏକ ମିନିଟ୍ ଦଣ୍ଡାୟମାନ ପୂର୍ବକ ନୀରବତା ଅବଲମ୍ବନ କରାଯାଇଥିଲା।

ଏହି ସମ୍ମିଳନୀ ସାଥୀ ଜମ୍ବେଶ୍ଵର ସାମନ୍ତରାୟ, ହରେକୃଷ୍ଣ ରେଡ଼ି, ଚନ୍ଦ୍ରଶେଖର ନାୟକ, ମୀନା ରାଣୀ ପ୍ରଧାନ,ସାଲ ମାରାଣ୍ଡି,ବୁଧନୀ ମୁଣ୍ଡାରୀ ଓ ଗଣେଶ୍ୱର ନାୟକ ଙ୍କ ସଭାପତି ମଣ୍ଡଳୀର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଞ୍ଜୁକ୍ତ କିଷାନ ସଭାର ସର୍ବ ଭାରତୀୟ ନେତା ତଥା ପୂର୍ବତନ ସାଂସଦ କମ୍ରେଡ ହାନନ୍ ମୋଲ୍ଲା ସମ୍ମିଳନୀ କୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରି ସଙ୍କଟ ଜର୍ଜରିତ କୃଷି ବ୍ୟବସ୍ଥା ପ୍ରତି ଉଦବେଗ ପ୍ରକାଶ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ହିଁ ଏଥିପାଇଁ ଦାୟୀ ବୋଲି ମତବ୍ୟକ୍ତ କରିଥିଲେ।ଏହି ପରିସ୍ଥିତି ରେ କେନ୍ଦ୍ର ମୋଦୀ ସରକାରଙ୍କ ଆମେରିକା ଓ ଲଣ୍ଡନ ସହ କୃଷି ଜାତୀୟ ଦ୍ରବ୍ୟର ଆମଦାନୀ ପାଇଁ କରିଥିବା ଚୁକ୍ତି ଚାଷୀ ସଙ୍କଟ କୁ ଅଧିକ ରୁ ଅଧିକ ବୃଦ୍ଧି କରିବ ବୋଲି ଅଭିଯୋଗ କରିଥିଲେ।ଏହା ବିରୁଦ୍ଧରେ ଦ୍ବିତୀୟ ଐତିହାସିକ ଚାଷି ଆନ୍ଦୋଳନ କରିବା ପାଇଁ ଆହ୍ବାନ ଦେଇଥିଲେ। ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ସମ୍ମିଳନୀ ରେ ଆଗତ କରିଥିବା ସାଙ୍ଗଠନିକ ଓ ରାଜନୈତିକ ରିପୋର୍ଟ ଉପରେ ପ୍ରତିନିଧି ମାନେ ଆଲୋଚନା କରି ରିପୋର୍ଟ କୁ ସମୃଦ୍ଧ କରିଥିଲେ। ସମ୍ମିଳନୀ ରେ ଏକ ୫୧ ଜଣିଆ ରାଜ୍ୟ କମିଟି ଓ ୧୭ ଜଣିଆ କର୍ମ କର୍ତ୍ତା କମିଟି ନିର୍ବାଚିତ ହୋଇଥିଲା ବେଳେ ରାଜ୍ୟ ସଭାପତି ଭାବେ ସିତାଂସୁ ସେନାପତି, ସାଧାରଣ ସଂପାଦକ ଭାବେ ଜମ୍ବେଶ୍ଵର ସାମନ୍ତରାୟ ଓ କୋଷାଧ୍ୟକ୍ଷ ଭାବେ ସାଥୀ ଅଭିରାମ ବେହେରା ନିର୍ବାଚିତ ହୋଇଛନ୍ତି। ଭବିଷ୍ୟତ ରେ ସଂଗଠନ ପକ୍ଷରୁ ସ୍ଵାମୀ ନାଥନ ଙ୍କ ପ୍ରସ୍ତାବିତ ଫସଲ ର ଲାଭଜନକ ଦର ପାଇଁ, ଭୂମି ହିନକୁ ଏକ ଏକର ଚାଷ ଜମି ଓ ୧୦ ଡେସିମିଲି ଘର ଡିହ, ଭାଗଚାଷୀ ଆଇନ ଲାଗୁ,ଆଦିବାସୀ ଙ୍କୁ ଜଙ୍ଗଲ ଜମିର ଅଧିକାର,ଚାଷି ରୁଣ ଛାଡ଼, ବ୍ଳକ ସ୍ତରରେ ସମବାୟ ଭିତ୍ତିକ ଶୀତଳ ଭଣ୍ଡାର ନିର୍ମାଣ,ଜନ ବିରୋଧି ବିଦ୍ୟୁତ ବିଲି ୨୦୨୨ ର ପ୍ରତ୍ୟାହାର, ବେକାରୀ ଙ୍କ ବ୍ୟାପକ ନିଯୁକ୍ତି,୪ ଟି ଶ୍ରମ କୋଡ଼ ବାତିଲ ସହ ମୂଲିଆ ମାନଙ୍କୁ ଦୈନିକ ୬୦୦ ଟଙ୍କା ମଜୁରୀ ଓ ବର୍ଷ କୁ ୨୦୦ ଦିନ କାର୍ଯ୍ୟ ପାଇଁ ଦୁର୍ବାର ଆନ୍ଦୋଳନ କରାଯିବ ପାଇଁ ପ୍ରସ୍ତାବ ମାନ ଗ୍ରହଣ କରାଯାଇଛି। ପରିଶେଷରେ ଅଖିଳ ଭାରତ କିଷାନ ସଂଘ ର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ସାଥୀ ବିଜୁ କ୍ରୀଷ୍ଣନ ସମ୍ମିଳନୀ ରେ ଉଜାପନୀ ବକ୍ତବ୍ୟ ପ୍ରଦାନ କରି ମୋଦୀ ସରକାର ଙ୍କ ସାମ୍ପ୍ରଦାୟିକ ରାଜନୀତିକୁ ନିନ୍ଦା କରି ସଙ୍ଗଠନ କୁ ଗାଁଏ ଗାଁଏ ଗଢ଼ି ତୋଳିବାକୁ ଆହ୍ବାନ ଦେଇଥିଲେ। ସମ୍ମିଳନୀ କୁ ସଫଳ କରିବା ରେ ରଣପୁର ବାସୀଙ୍କ ଅକୁଣ୍ଠ ଚିତ ସାହାଯ୍ୟ ସହଯୋଗ ପାଇଁ ସମ୍ମିଳନୀ ତରଫରୁ ଧନ୍ୟବାଦ ଦିଆଯାଇଥିଲା। ଅଭ୍ୟର୍ଥନା କମିଟିର ସମ୍ପାଦକ ସାଥୀ ହରିଶ୍ଚନ୍ଦ୍ର ମିଶ୍ର କେନ୍ଦ୍ରୀୟ ନେତୃତ୍ବ, ରାଜ୍ୟ ନେତୃତ୍ୱ ଓ ସମସ୍ତ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଦେବା ସହ ସମ୍ମିଳନୀ ର ସଫଳତା କାମନା କରିଥିଲେ।ଭାତୃ ପ୍ରତିମ ସଙ୍ଗଠନ ସିଆଇଟିୟୁ ର ରାଜ୍ୟ ନେତ୍ରୀ ପୁଷ୍ପା ଦାସ,ଯୁବ ନେତା ସରୋଜ ନାୟକ,ମହିଳା ନେତ୍ରୀ ଜ୍ୟୋତି ପ୍ରଭା ଜେନା ଓ କ୍ଷେତ ମଜଦୂର ୟୁନିୟନ ରାଜ୍ୟ ନେତା ନିତ୍ୟାନନ୍ଦ ପରିଡ଼ା ସମ୍ମିଳନୀ ର ସଫଳତା କାମନା କରିଥିଲେ। ରାଜ୍ୟ ସମ୍ମିଳନୀ କୁ ସଫଳ କରିବା ରେ ନୟାଗଡ଼ ଜିଲ୍ଲା ର ସାଥୀ ବିଶ୍ବନାଥ ମହାପାତ୍ର,ଗୋଲକ ମୁଦୁଲି, ବୈକୁଣ୍ଠ ଖୁଣ୍ଟିଆ, ଶରତ ବେହେରା, ନିତ୍ୟାନନ୍ଦ ପରିଡ଼ା,ସୁରେଶ ସ୍ବାଇଁ, ଗଦାଧର ପ୍ରଧାନ, ଦୁଃଶାସନ ଜେନା,ରଜତ ଜେନା, ସୁଶୀଲ ମହାନ୍ତି ଓ ସବ୍ୟସାଚୀ ସେନାପତି ପ୍ରମୁଖ ସର୍ବ ଚେଷ୍ଟା କରିଥିଲେ।

You might also like