ସଦାନନ୍ଦ ସାହିତ୍ୟ ପରିଷଦ ଓ ପୂଜ୍ୟପୂଜା କମିଟି ଶରଣକୁଳ ପକ୍ଷରୁ ରୀତି ଯୁଗୀୟ କାବ୍ୟ ସାହିତ୍ୟର ଅନନ୍ୟ ସ୍ରଷ୍ଟା ତଥା ଉତ୍କଳ ସାହିତ୍ୟ ଆକାଶର ପ୍ରଥମ କବିସୂର୍ଯ୍ୟ, ବୈଷ୍ଣବ କବି ” କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା “ଙ୍କ ୨୦୬ ତମ ଶ୍ରାଦ୍ଧ ବାର୍ଷିକୀ ଶରଣକୁଳ ଭିକାରିପଡା ସ୍ଥିତ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ପରିସରରେ ସୋମବାର ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ସଂସ୍କୃତପଣ୍ଡିତ କିଶୋର ଚନ୍ଦ୍ର କର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ସ୍କୁଲ ଅଧ୍ୟକ୍ଷ ନୀଳମାଧଵ ତ୍ରିପାଠୀ, କବି ବ୍ରଜ କିଶୋର ମିଶ୍ର, ନୀଳମାଧଵ ମିଶ୍ର, ନିରଞ୍ଜନ ପ୍ରଧାନ, ରାଜେନ୍ଦ୍ର କୁମାର ତ୍ରିପାଠୀ, ରବୀନ୍ଦ୍ର କୁମାର ତ୍ରିପାଠୀ, ଜୟ କୃଷ୍ଣ ସାହୁ,ଚିତ୍ତରଞ୍ଜନ ଦାଶ,ଦିଲ୍ଲୀପ କୁମାର ମଣ୍ଡଳ ଓ କବୀ ନଳିନୀ ଦାଶ,ପ୍ରମୁଖ ଯୋଗ ଦେଇ କବିସୂର୍ଯ୍ୟ ସଦାନନ୍ଦଙ୍କ ପ୍ରତିମୂର୍ତ୍ତିରେ ଧୂପ, ଦୀପ ସହିତ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ l କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ସଦାନନ୍ଦଙ୍କ ରଚିତ “ମଣିମା ଶୁଣିମା ହେଉ ଗରିବ ଡାକ “ଗୀତଟିକୁ ଗାନ କରିବା ପରେ ଉପସ୍ଥିତ କବି ଓ ସାହିତ୍ୟିକ ମାନେ ସଦାନନ୍ଦଙ୍କ କାବ୍ୟକୃତି ନିଷ୍ଠା ନୀଳମଣି, ଯୁଗଳ ରାସାମୃତ ଲହରୀ, ନାମ ଚିନ୍ତାମଣି, ଯୁଗଳ ରସାମୃତ ଭଉଁରୀ ଓ ସଙ୍ଗୀତ ସଦାନନ୍ଦ କାବ୍ୟ ଉପରେ ଆଲୋଚନା କରିଥିଲେ l ସୂଚନାଯୋଗ୍ୟ ଯେ, ସଦାନନ୍ଦ ୧୭୩୮ଖ୍ରୀଷ୍ଟାଦ୍ଦରେ ନୟାଗଡ ଜିଲ୍ଲା ପ୍ରଶିଦ୍ଧ ଶୈବକ୍ଷେତ୍ର ଶରଣକୁଳ ନିକଟସ୍ଥ ଭିକାରିପଡା ବ୍ରାହ୍ମଣ ଶାସନ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରି ଥିଲେ l ନିଜର କାବ୍ୟ କୃତି ପାଇଁ ବହୁ ଉତ୍କଳୀୟ ରାଜାଙ୍କର ରାଜକବି ରୂପେ ରାଜସଭା ବିମଣ୍ଡନ କରିଥିବା ବେଳେ ୧୭୮୩ ଖ୍ରୀଷ୍ଟାବ୍ଦରେ ପୁରୀ ଗଜପତି ବୀର କେଶରୀ ଦେବ ସଦାନନ୍ଦଙ୍କୁ “କବିସୂର୍ଯ୍ୟ “ଉପାଧିରେ ଭୂଷିତ କରିଥିଲେ l ସଦାନନ୍ଦ ରାଧାକୃଷ୍ଣଙ୍କ ଉପରେ ୨୪ଟି କାବ୍ୟ ରଚନା କରିବା ସହିତ ବୈଷ୍ଣବ ଧର୍ମ ପ୍ରଚାରରେ ନିଜର ସମସ୍ତ ସମୟକୁ ଉପଯୋଗ କରି ଶେଷରେ କେନ୍ଦ୍ରାପଡା ଜିଲ୍ଲା ଢ଼ାବଳ ଠାରେ ଥିବା ମଠରେ ଇହଲୀଳା ସମ୍ବରଣ କରି ଥିଲେ