Skip to content

କାଠ ମାଫିଆଙ୍କ ଘରେ ବନ ବିଭାଗ ପକ୍ଷରୁ ଚଢାଉ, ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ କାଠ ଓ ପଟା ଜବତ।

ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକ ବଡ଼ସହରା ପଞ୍ଚାୟତ ବାଲିଆ ପଟା ଗ୍ରାମର କାଠ ମାଫିଆ ନରେନ୍ଦ୍ର କୁମାର କରଙ୍କ ଘରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ମାଫିଆ ଜଣଙ୍କ ଫେରାର ଥିବାରୁ ତାଙ୍କୁ ଗିରଫ କରା ଯାଇ ନଥିବା ଜଣା ପଡ଼ିଛି। ଭାପୁର ବନ ବିଭାଗ ପକ୍ଷରୁ ସୂଚନା ମୁତାବକ ଫତେଗଡ଼ ଥାନା ଅନ୍ତର୍ଗତ ବାଲିଆ ପଟା ଗ୍ରାମର ନରେନ୍ଦ୍ର କୁମାର କର ଦୀର୍ଘ ବର୍ଷ ଧରି ଚୋରା କାଠ ବେପାର କରି ଆସୁଛନ୍ତି। ପ୍ରତ୍ୟେକ ବର୍ଷ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଚୋରା କାଠ ଜବତ କରା ଯାଉଥିବା ବେଳେ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନଥିବାରୁ ସେ ଚୋରା କାଠ କାରବାର ଅବାଧରେ କରି ଚାଲିଛନ୍ତି। ସେ ବିପୁଳ ପରିମାଣର ଚୋରା କାଠ ଘରେ ଓ ଘର ନିକଟରେ ରଖିଥିବା ଖବର ପାଇ ଶୁକ୍ରବାର ରାତିରେ ନୟାଗଡ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ସହ ବନଖଣ୍ଡ ଅଧିକାରିଣୀ ରୀମାନି ନାୟକ, ଖଣ୍ଡପଡ଼ା ରେଞ୍ଜର ଉଦିତ କୁମାର ପ୍ରଧାନ, ଖଣ୍ଡପଡ଼ା ବନପାଳ ସନାତନ ସ୍ୱାଇଁ, ଭାପୁର ବନପାଳ ବନମାଳୀ ରାଉତ ଓ ସୁବାଷ ଚନ୍ଦ୍ର ନାୟକ, ମୋବାଇଲ ଟିମ୍ ମୂରଲୀ ଧର ରାଉତ, ସୁରେଶ ଚନ୍ଦ୍ର ସାହୁ, ଅଶୋକ କୁମାର ଗୁରୁ, ସୁନିଲ ବାରିକଙ୍କ ସହ ୨୦ଜଣିଆ ଟିମ ଚଢାଉ କରିଥିଲେ। ଚଢାଉ ସମୟରେ ଘର ନିକଟ ଏକ କାଜୁ ଜଙ୍ଗଲରୁ ଶାଗୁଆନ, ଶାଳ କାଠ ଗଣ୍ଡି ଗୁଡିକୁ ଜବତ କରିଥିଲେ।

ସେହିପରି ଶନିବାର ସକାଳ ୯ଘଟିକା ସମୟରେ ଭାପୁର ତହସିଲଦାର ଅର୍ଜ୍ଜୁନ କୁମାର ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କ ଘରେ ଥିବା ଶାଗୁଆନ, ଶାଳ, ଆମ୍ବ ଓ ବିଭିନ୍ନ କିସମର କାଠ ସାଇଜ ପଟା ଗୁଡିକୁ ଜବତ କରିଥିଲେ। ଉକ୍ତ କାଠଗଣ୍ଡି ଓ ସାଇଜ ପଟା ଗୁଡିକୁ ଟ୍ରାକ୍ଟର ମାଧ୍ୟମରେ ଭାପୁର ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। ଜବତ କରାଯାଇଥିବା ଚୋରା କାଠ ଗୁଡ଼ିକର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଭାପୁର ବନପାଳ ଶ୍ରୀ ରାଉତଙ୍କ ଠାରୁ ପ୍ରକାଶ। ଅଭିଯୁକ୍ତ କାଠ ମାଫିଆ ଜଣଙ୍କ ଫେରାର ଥିବାରୁ ବନ ବିଭାଗ ପକ୍ଷରୁ କି ପଦକ୍ଷେପ ଗ୍ରହଣ କରାଯାଉଛି ତାହାକୁ ନେଇ ଜନ ସାଧାରଣ ଚାହିଁ ବସିଛନ୍ତି।

Ad 1