ଗୋଡ଼ ଭାଙ୍ଗି ଅସହାୟ ଅବସ୍ଥାରେ ଶିକ୍ଷକ

ନୟାଗଡ଼ର ଜଣା ଶୁଣା କବି, ଲେଖକ, ମଞ୍ଚଉପସ୍ଥାପକ ତଥା ଆକାଶବାଣୀର କଳାକାର ବିଭୂତି ଭୂଷଣ ମିଶ୍ର ସାଇ ସାହାରା ରେସିଡେନସିଆଲ୍ ସ୍କୁଲ୍ ଓ କୋଚିଙ୍ଗ ସେଣ୍ଟର୍ ରେ ପାଠ ପଢ଼ାଇ ପରିବାର ଭରଣ ପୋଷଣ କରୁଥିଲେ l ଗତ ଦୁଇ ଦିନ ତଳେ ଉକ୍ତ କୋଚିଙ୍ଗ ସେଣ୍ଟର୍ କୁ ପାଠ ପଢାଇବା ପାଇଁ ଲିଫ୍ଟ ମାଧ୍ୟମରେ ପଞ୍ଚମ ମହଲାକୁ ଯାଉଥିବା ବେଳେ ହଠାତ ଲିଫ୍ଟ ତାର 5ମ ମହଲାରୁ ଛିଡ଼ି ପଡ଼ିବାରୁ ଲିଫ୍ଟ ଭିତରେ ଚାପି ହୋଇ ତାଙ୍କ ଡାହାଣ ଗୋଡ଼ ଦୁଇ ଖଣ୍ଡ ହୋଇ ବାହାରକୁ ବାହାରିପଡିଲା l

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ୍ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଇ ଦିଆଗଲା l ବର୍ତ୍ତମାନ ସେ କିମ୍ସ ପରି ବ୍ୟୟ ବହୁଳ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି l ତାଙ୍କ ପରିବାର ସୂତ୍ରରୁ ପ୍ରକାଶ ଯେ ତାଙ୍କ ଗୋଡ଼କୁ ତିନିଥର ଅପରେସନ କରାଯିବ l ସେଥିପାଇଁ ଚାରି ରୁ ପାଞ୍ଚ ଲକ୍ଷ ଅର୍ଥର ଆବଶ୍ୟକତା ପଡୁଥିବା ବେଳେ ଅର୍ଥର ଅଭାବ ତାଙ୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି l

ଏପରି ସ୍ଥଳେ ସଂପୃକ୍ତ ଶିକ୍ଷାନୁଷ୍ଠାନର ପରିଚାଳକ ତଥା ନବଘନପୂର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଶୋକ କୁମାର ପ୍ରଧାନ ତୁରନ୍ତ ପୀଡ଼ିତ ଶିକ୍ଷକ ବିଭୂତି ମିଶ୍ରଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ଜିଲ୍ଲା ଲେଖକ ପରିଷର ସଂପାଦକ ଶେଖ୍ ଅବଦୁଲ୍ ଖାଲିକ୍, ପରମ୍ପରା ସାହିତ୍ୟ ସଂସଦ ସଂପାଦକ କବି ନିର୍ମଳ ଚନ୍ଦ୍ର ଶୂର ଦେଓ, ଶ୍ୱେତପତ୍ର ଉପ ସଭାପତି କବି ଅଶୋକ ମଲ୍ଲ, ସଦାନନ୍ଦ ସାହିତ୍ୟ ପରିଷଦ ସଂପାଦକ କବି ପ୍ରଶାନ୍ତ ଦାଶ ଓ ମୈତ୍ରୀ ଯୁବ ସଂସଦର ସଂପାଦକ ପ୍ରଦୀପ ସାହୁ ପ୍ରମୁଖ ଦାବି ଜଣାଇଛନ୍ତି l ଯଦି ସଂପୃକ୍ତ ଶିକ୍ଷାନୁଷ୍ଠାନ ପରିଚାଳକ ଏଥିରେ ସହଯୋଗ ନକରନ୍ତି ତେବେ ସଂପୃକ୍ତ ଶିକ୍ଷାନୁଷ୍ଠାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠନ ପାଇଁ ଦାବି କରାଯିବ l କାଳବିଳମ୍ବ ନକରି ଶିକ୍ଷାନୁଷ୍ଠାନ ମୁଖ୍ୟ ଅଶୋକ ପ୍ରଧାନ ସହଯୋଗର ହାତ ବଢ଼ାଇବାକୁ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ମାନେ ଅନୁରୋଧ କରିଛନ୍ତି l

You might also like