ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକ, ହିସାବ ଦେଇ ପାରିଲେନି ଅଧିକାରୀ, ଅସନ୍ତୋଷ ପ୍ରକାଶ କଲେ ଜନ ପ୍ରତିନିଧି

ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଆଜି ଅନୁଷ୍ଠିତ ହୋଇଛି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକ । ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା . ରମାକାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା କରାଯାଇଥିଲା । ଅନେକ ପ୍ରସଙ୍ଗକୁ ନେଇ ବିଭାଗୀୟ ଅଧିକାରୀ ମାନେ ସଠିକ ଉତ୍ତର ଦେଇ ପାରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ।

ବୈଠକରେ କୋଠା ନିର୍ମାଣ କାର୍ଯ୍ୟର ସ୍ଥିତି ସମ୍ପର୍କରେ ଆଲୋଚନା ଦେବା ସହ ନିର୍ମଳ ଯୋଜନା, ବିଏସକେୱାଇ, ବ୍ଲକ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଆଲୋକପାତ କରାଯାଇଥିଲା । ୪ ବର୍ଷରେ ଆସିଥିବା ଟଙ୍କା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ବିନା ଅନୁମୋଦନରେ କିଭଳି ଖର୍ଚ୍ଚ କରାଗଲା ବୋଲି ବିଧାୟକ ଡ.ସାହୁ ପ୍ରଶ୍ନ କରିଥିଲେ । ଖର୍ଚ୍ଚ ହୋଇଥିବା ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହୋଇଛି ବୋଲି ବିଧାୟକ ପ୍ରଶ୍ନ କରିଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଆକାଉଣ୍ଟାଣ୍ଟ ଏହାର ସମ୍ପୁର୍ଣ୍ଣ ତଥ୍ୟ ରଖିପାରିନଥିଲେ । ଯାହାକୁ ନେଇ ବୈଠକରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ୨୦୧୯ – ୨୦ ଆର୍ଥିକ ବର୍ଷରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜରିଆରେ ୨୯ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସେହିଭଳି ୨୦୨୦-୨୧ ଆର୍ଥିକ ବର୍ଷରେ ୨୯ କୋଟି ୮୮ଲକ୍ଷ ଟଙ୍କା ବଜେଟ ରହିଥିବା ବେଳେ ୪୨ କୋଟି ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୧ – ୨୨ ଆର୍ଥିକ ବର୍ଷରେ ୪୪କୋଟି ୮୯ଲକ୍ଷ ଟଙ୍କା ବଜେଟ ରହିଥିବା ବେଳେ ୩୮ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

୨୦୨୨ – ୨୩ ଆର୍ଥିକ ବର୍ଷରେ ୬୦ କୋଟି ୩୮ ଲକ୍ଷ ବଜେଟ ରହିଥିବାବେଳେ ୬୪ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ୨୦୨୩ – ୨୪ ଆର୍ଥିକ ବର୍ଷରେ ୫୮ କୋଟି ୭୪ଲକ୍ଷ ଟଙ୍କା ବଜେଟ୍ ରହିଥିବାବେଳେ ନଭେମ୍ବର ସୁଦ୍ଧା ୧୮କୋଟି ୩୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବୈଠକରେ ତଥ୍ୟ ପ୍ରକାଶ କରିଥିଲା । ଏଥିସହ ବୈଠକରେ ଗାଁକଲ୍ୟାଣ ସମିତି, ଏଏନ୍‌ଏମ ସେଣ୍ଟେର, ଡାଏଲିସିସ୍ ସେବା ଭଳି ଗୁରୁତ୍ଵ ପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ଜିଲ୍ଲାରେ ଡାଏଲିସିସ୍ ସେବା ପାଇଁ ୧୧ ଶର୍ଯ୍ୟ କ୍ଷମତା ରହିଥିବା ବେଳେ ଏହାକୁ ୨୦ଟି ଶର୍ଯ୍ୟକୁ ବୃଦ୍ଧି କରିବା ଲାଗି ରଣପୁର ବିଧାୟକ ପ୍ରସ୍ତାବ ରଖିଥିଲେ ।

You might also like