ଦାନା” ମୁକାବିଲାରେ ସଫଳ ହୋଇଛି ଖଣ୍ଡପଡ଼ା ପ୍ରଶାସନ

ଖଣ୍ଡପଡା ବ୍ଳକ ଅଂଚଳରେ ‘ଦାନା’ ବାତ୍ୟାର ପ୍ରଭାବ ସେତେଟା ନଥିଲେ ମଧ୍ୟ ବ୍ଳକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ୭ଟି ଆଶ୍ରୟ ସ୍ଥଳରେ ୩୮୦ ଜଣଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିବା ଖଣ୍ଡପଡା ବ୍ଳକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷଙ୍କ ଠାରୁ ପ୍ରକାଶ । ଖଣ୍ଡପଡା ବ୍ଳକ ଅଧିନ କଣ୍ଟିଲୋ , ବାଣପୁର, ସିଧାମୂଳା, ବେଣାଗାଡିଆ, ଗୁଣ୍ଠୁଣି, ଶାଳଝରିଆ, ବୋଦସା ଆଦି ୭ଟି ପଂଚାୟତରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ରନ୍ଧାଖାଦ୍ୟ ପରସା ଯାଇଥିବା ଜଣାପଡିଛି । ସ୍ଥାନୀୟ ସରପଂଚ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବ୍ଳକ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ଅନିତ କୁମାର ବଡସେଟଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ସୁରକ୍ଷିତ ଅବସ୍ଥାରେ ଜନସାଧରଣଙ୍କୁ ଆଶ୍ରୟସ୍ଥଳକୁ ନିଆଯାଇଥିବା ଜଣାପଡିଛି । ବାତ୍ୟା “ଦାନା”ର ଭୟାବହତାକୁ ଦୃଷ୍ଟିରେ ରଖି ଖଣ୍ଡପଡା ଓ ନୂଆଗଡିଆସାହି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଉଭୟ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ବରେ ଥିବା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡଃ ଅଭିଷାର ପଣ୍ଡାଙ୍କ ଠାରୁ ସୂଚନା ମିଳିଛି । ବିଭିନ୍ନ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ ଏଥି ନିମନ୍ତେ ସଜାଗ ରଖାଯାଇଥିଲା ।ଖଣ୍ଡପଡା ବ୍ଲକ ଅଧିନ ୨୨ ଗୋଟି ପଂଚାୟତରୁ ସର୍ବମୋଟ ୧୪ ଜଣ ପ୍ରସୂତି ମହିଳାଙ୍କୁ ଅବସ୍ଥାପିତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରସୂତି ମହିଳାମାନେ ଖଣ୍ଡପଡା ଓ ନୂଆଗଡିଆସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଖଣ୍ଡପଡା ସହରାଚଂଳସ୍ଥିତ ‘ମା’ଗୃହରେ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବା ଡଃ ପଣ୍ଡାଙ୍କ ଠାରୁ ପ୍ରକାଶ ।

You might also like