ନାଥବାବୁଙ୍କ ଜନ୍ମ ଶତବାର୍ଷିକୀ.

ନୟାଗଡ଼ର ପ୍ରଥମ ନଗରପାଳ ତଥା ଆଧୁନିକ ନୟାଗଡ଼ ସହରର ରୂପକାର ସ୍ଵର୍ଗତ ରଘୁନାଥ ଦାସ(ନାଥବାବୁ) ଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଚଳିତ ସେପ୍ଟେମ୍ବର ଚାରି ତାରିଖରେ ତାଙ୍କର ପ୍ରିୟ ନିଜ ହାତଗଢା ଏନ୍.ଏ.ସି. ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇଯାଇଛି !

ଏହି ସମାବେଶରେ ଭାରତ ସରକାରଙ୍କ ଅବସରପ୍ରାପ୍ତ ଗଣମାଧ୍ୟମ ପରାମର୍ଶଦାତା ଡ. ଉମାକାନ୍ତ ମିଶ୍ର ମୁଖ୍ୟ ଅତିଥି, ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର ବରେଣ୍ୟ ଅତିଥି, ପୌରପାଳ ଶ୍ରୀମତୀ ନିରୁପମା ଖଟେଇ ସମ୍ମାନିତ ଅତିଥି, ପ୍ରାକ୍ତନ ଉପାଧ୍ୟକ୍ଷ ବରିଷ୍ଠ ଓକିଲ କୃଷ୍ଣଚନ୍ଦ୍ର ପ୍ରଧାନ,ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ୍ , ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ନାଥବାବୁଙ୍କ ତ୍ୟାଗପୂତ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ! ସ୍କୁଲ ପରିସରରେ ନାଥବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ସଭା ଆରମ୍ଭ ହୋଇଥିଲା।

ସ୍ମୃତି ପରିଷଦ ଆବାହକ ବିଶ୍ଵନାଥ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ପ୍ରଧାନ ବକ୍ତା ଦାଶ ବେନହୁର ନିଜର ଅନୁଭବକୁ ଭିତ୍ତିକରି କମ୍ୟୁନିଷ୍ଟ ନାଥବାବୁ କିଭଳି ଦଳମତ ନିର୍ବିଶେଷରେ ନୟାଗଡ଼ ବାସୀଙ୍କ ପ୍ରିୟ ଭାଜନ ହୋଇ ଦୀର୍ଘ ୨୧ ବର୍ଷ କାଳ ନିରବଚ୍ଛିନ୍ନ ଭାବେ ନୟାଗଡ଼ର ନଗରପାଳ ହୋଇପାରିଥିଲେ, ତାହା ଉପରେ ଆଲୋକପାତ କରିଥିଲେ। ପ୍ରାକ୍ତନ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପ୍ରଧାନ, ପ୍ରାକ୍ତନ କର୍ମଚାରୀ ହରମୋହନ ରଥ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗଙ୍ଗାଧର ମହାରଣା ଙ୍କୁ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ମୋ ସ୍କୁଲର ଅଧ୍ୟକ୍ଷ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ମାନେ ବିଦ୍ୟାଳୟରେ ଅନୁଷ୍ଠିତ ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତକାର୍ଯ୍ୟ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଛାତ୍ର ପ୍ରିୟ ସୁନ୍ଦର ମିଶ୍ର ନାଥବାବୁଙ୍କ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରି ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ । ଶିକ୍ଷକ ଲକ୍ଷ୍ମୀଧର ସାହୁ ଓ ପ୍ରଦୀପ୍ତ କୁମାର ଡାକୁଆ ପ୍ରତିଯୋଗିତା ପରିଚାଳନା କରିଥିଲେ।

You might also like