ନୟାଗଡରେ ଦଣ୍ଡ ଶୋଭାଯାତ୍ରା ଅଘଟଣ ପାଇଁ ଏସପି ଜିଲ୍ଲାପାଳଙ୍କୁ ଦାୟୀ କଲା କଂଗ୍ରେସ |ଜିଲ୍ଲା ଜଜଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ପାଇଁ ଜନସ୍ୱାର୍ଥ ମାମଲା ଦାଏର କରାଯିବ |


ନୟାଗଡରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳ ଏସପିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ l ପାଞ୍ଚ ଘଣ୍ଟା ଧରି ୫୭ ନମ୍ବର ଜାତୀୟ ରାଜପଥ ଉପରେ ହଜାରହଜାର ଲୋକଙ୍କ ଧାର୍ମିକ ଶୋଭାଯାତ୍ରା ପାଇଁ ବିକଳ୍ପ ଟ୍ରାଫିକ ବ୍ୟବସ୍ଥା ଉପରେ ଧ୍ୟାନ ଦିଅନଯାଇ ଅନୁମତି ଦେବାର ଅଧିକାର ଜିଲ୍ଲାପାଳ ଏସପି ଙ୍କୁ ଦେଲା କିଏ ବୋଲି ପ୍ରଶ୍ନ କରିଛନ୍ତି ରଣଜିତ l

ଜାତୀୟ ରାଜପଥ ଉପରେ ଦୀର୍ଘ ସମୟ ବ୍ୟାପି ଏଭଳି ବିରାଟ ଶୋଭାଯାତ୍ରା ପାଇଁ ଆଇନତଃ ପୁର୍ବ ସତର୍କତା ନିୟମ କାର୍ଯ୍ୟକାରୀ ସହ ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ମୁତୟନ କରାନଯାଇ ସମସ୍ତ ଆଇନକାନୁନ ଉଲ୍ଲଙ୍ଘନ କରି ଜିଲ୍ଲାପାଳ ଏସପିଙ୍କ ଅନଧିକାର ଅନୁମତି ପ୍ରସଙ୍ଗରେ ଜିଲ୍ଲା ଜଜ ସ୍ତରୀୟ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ପ୍ରାର୍ଥନା କରି ଆଇନଜୀବି ଶ୍ରୀ ଦାଶ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାଏର କରିବେ ବୋଲି କହିଛନ୍ତି l

ପlଞ୍ଚଘଣ୍ଟା ଧରି ଏହି ବିରାଟ ଶୋଭାଯାତ୍ରା ବେଳେ ଅଘୋଷିତ ଟ୍ରାଫିକ ସମସ୍ୟା ସ୍ରଷ୍ଟି ହୋଇ ଆମ୍ବୁଲାନ୍ସ ଚଳପ୍ରଚଳ, ଜରୁରୀ ସ୍ୱାସ୍ଥ୍ୟସେଵା ପାଇଁ କୌଣସି ପ୍ରକାର ବିକଳ୍ପ ବ୍ୟବସ୍ଥା ଜିଲ୍ଲାପାଳ ଏସପି ଗ୍ରହଣ କରିନଥିବା ପ୍ରଶାସନିକ ଅନଭିଜ୍ଞତାକୁ ଆଇନଜୀବି ଶ୍ରୀ ଦାଶ ଦୃଢ ନିନ୍ଦା କରିଛନ୍ତି, ଏପରିକି ଶୋଭାଯାତ୍ରା ପ୍ରଭାବରେ ରାସ୍ତା ଯାମ ଯୋଗୁଁ ରାଜ୍ୟ ରାଜଧାନୀ-ପଶ୍ଚିମ ଓଡିଶା-ଦକ୍ଷିଣ ଓଡିଶା ଯୋଗାଯୋଗ ଏକପ୍ରକାର ବିଛିନ୍ନ ହୋଇ ସାଧାରଣ ଜନଜୀବନ ପ୍ରଭାବିତ ହୋଇ ବସ ଯାତ୍ରୀ, ସାଧାରଣ ଲୋକେ ନାହିଁ ନଥିବା ଯନ୍ତ୍ରଣା ଭୋଗିଥିବା କୁହାଯାଇଛି l

ଏହି ଧାର୍ମିକ ଶୋଭାଯାତ୍ରାରେ ଜନଗହଳି କୁ ଆକଳନ କରି ଆବଶ୍ୟକୀୟ ପୋଲିସ ଫୋର୍ସ ମୁତୟନ କରାଯାଇ ଥିଲେ ଉଭୟ ଗ୍ରାମ ମଧ୍ୟରେ ଗୋଷ୍ଠୀସଂଘର୍ଷ ଜନିତ ହତ୍ୟାକାଣ୍ଡ ଭଳି ଅଘଟଣକୁ ରୋକାଯାଇ ପାରିଥାନ୍ତା ବୋଲି ଶ୍ରୀ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରେସବାର୍ତାରେ କହିଛନ୍ତି l ଏହି ଗୋଷ୍ଠୀ ସଂଘର୍ଷରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୁକମ୍ପା ଅର୍ଥରାଶି ପ୍ରଦାନ ସହ ଉଭୟ ପକ୍ଷର ଆହତଙ୍କୁ ମାଗଣା ଚିକିତ୍ସା ରାଜ୍ୟ ସରକାର ବହନ କରିବା ପାଇଁ ଜିଲ୍ଲା କଂଗ୍ରେସ ଦାବୀ କରିଛି l ଯେଉଁ ମାନେ ପ୍ରକୃତରେ ଏହି ଗୋଷ୍ଠୀ ସଂଘର୍ଷରେ ସମ୍ପୃକ୍ତ ପୋଲିସ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ନିରୀହ ଗ୍ରାମବାସୀଙ୍କୁ ମିଛ ମୋକଦ୍ଧମା ରେ ସାମିଲ କରା ନଯାଉ ବୋଲି କଂଗ୍ରେସ କହିଛି l

You might also like
Leave a comment