ନୟାଗଡ଼,୨୩/୧୧: ଜିଲ୍ଲାବାସୀଙ୍କ ବହୁ ଦିନର ସ୍ବପ୍ନ ନୟାଗଡ଼କୁ ରେଳ ଚଳାଚଳ ଗତ ୨୦୧୭ରୁ ଆରମ୍ଭ ହୋଇଥିବା ବେଳେ ଅଦ୍ୟାବଧି ରେଳସେବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଗତ ୨୦୧୭ ମସିହା ଜୁନ ୧୯ ତାରିଖରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ
ପ୍ରକଳ୍ପର ଅଂଶ ସ୍ୱରୂପ ନୟାଗଡ଼ ଟାଉନ ଷ୍ଟେସନ ତତ୍କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଇତି ମଧ୍ୟରେ ଦୀର୍ଘ ୭ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ନୟାଗଡ଼ ଜିଲ୍ଲାବାସୀ ସର୍ବନିମ୍ନ ରେଳ ସୁବିଧା ପାଇ ପାରିଲେ
ନାହିଁ । କେବଳ ଦଶପଲ୍ଲାରୁ ଭୁବନେଶ୍ୱର, ପୁରୀ ଏବଂ ଭଦ୍ରକ ମଧ୍ୟରେ ତିନୋଟି ଟ୍ରେନ ଚଳାଚଳ କରୁଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଏବଂ ରାଜ୍ୟ ବାହାରକୁ ଜିଲ୍ଲାରୁ କୌଣସି ଟ୍ରେନ ସୁବିଧା ନାହିଁ । ନୟାଗଡ଼ ଜିଲ୍ଲାରୁ ବ୍ୟବସାୟିକ କାର୍ଯ୍ୟ, ଉଚ୍ଚଶିକ୍ଷା,ପରିଭ୍ରମଣ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଜିଲ୍ଲାବାସୀ ରାଜ୍ୟ ବହାରକୁ ଯଥା କୋଲକତା,ବାଙ୍ଗାଲୋର,ବିଶାଖାପାଟଣା,ମୁମ୍ବାଇ ଆଦି ସ୍ଥାନକୁ ଯାଇଥାନ୍ତି । ମୁଖ୍ୟତଃ ଜିଲ୍ଲାର ଅଧିକାଂଶ ବ୍ୟବସାୟୀ ମାଲ ପାଇଁ କୋଲକତା ତଥା ଉଚ୍ଚଶିକ୍ଷା ଏବଂ ଚାକିରୀ ପାଇଁ ବାଙ୍ଗାଲୋର ଉପରେ ନିର୍ଭର କରିଥାନ୍ତି । ତେବେ ନୟାଗଡ଼ରୁ ଏହି ସବୁ ସ୍ଥାନ ଗୁଡ଼ିକ ସହିତ ସିଧାସଳଖ ରେଳ ସଂଯୋଗ ନଥିବାରୁ ବ୍ୟବସାୟୀ ଏବଂ ଶିକ୍ଷାର୍ଥୀମାନେ ନାନା ଭାବରେ ହଇରାଣ ହୋଇଥାନ୍ତି । ତେଣୁ ନୟାଗଡ଼ରୁ ହାୱଡ଼ା ଏବଂ ବାଙ୍ଗାଲୋରକୁ ତୁରନ୍ତ ରେଳ ସଂଯୋଗ କରାଯିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳ ବିଭାଗ ନିକଟରେ ଦାବି କରାଯାଇଛି । ସେହିପରି ଅଧିକାଂଶ ଜିଲ୍ଲାବାସୀ ଉତ୍ତମ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଏବଂ ଉଚ୍ଚ ନ୍ୟାୟାଳୟ ଉପରେ ନିର୍ଭର କରୁଥିବାରୁ ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ(ନଂ ୧୮୪୨୩/୧୮୪୨୪)କୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, କେନ୍ଦୁଝର-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ଟ୍ରେନକୁ ନୟାଗଡ଼ ପର୍ଯ୍ୟନ୍ତ ଚଲାଇବା, ଦଶପଲ୍ଲାରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନ(ନଂ ୦୮୪୨୩/୦୮୪୨୪)କୁ ବଦଳାଇ ମେମୁ ଟ୍ରେନ ପ୍ରଚଳନ କରିବା,ବିର୍ତ୍ତମାନ ଦିନକୁ ଦିନ ରେଳଯାତ୍ରୀଙ୍କ ସଂଖ୍ୟା ବଢ଼ୁ ଥିବାରୁ ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକର ବଗି ସଂଖ୍ୟା ବୃଦ୍ଧି କରିବା, ରେଳ ଷ୍ଟେସନରେ ଆଉ ଏକ ଟିକେଟ କାଉଣ୍ଟର ଖୋଲିବା, ନୟାଗଡ଼ ଭୁବନେଶ୍ୱର ମଧ୍ୟରେ ଅଧିକ ପାସେଞ୍ଜର ଟ୍ରେନ ଚଳାଚଳ କରିବା ତଥା ନୟାଗଡ଼ ଟାଉନ ଷ୍ଟେସନ ପରିସର ଏବଂ ଏହାର ପରିବେଶ ସଫା ସୁତୁରା ରଖିବା ଆଦି ଦାବି କରାଯାଇଛି । ଏ ନେଇ ନଅ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପୂର୍ବତଟ ରେଳପଥ ସାଧାରଣ ପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଟାଉନ ଷ୍ଟେସନ ମ୍ୟାନେଜର ସୁଖେନ୍ଦୁ ପ୍ରଧାନଙ୍କୁ ଆଜି ପୂର୍ବାହ୍ନରେ ପ୍ରଦାନ କରାଯାଇଛି ।
ଆସନ୍ତା ଏକ ମାସ ମଧ୍ୟରେ ଏହି ଦାବି ଗୁଡ଼ିକ ବିଚାର କରାଯାଇ ପୂରଣ କରିବା ଦିଗରେ ରେଳ ବିଭାଗ ତ୍ୱରିତ୍ ପଦକ୍ଷେପ ନେବାକୁ ନାଗରିକ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇ ଥିବା ବେଳେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଗଣ ବିକ୍ଷୋଭ କରାଯିବ ବୋଲି ନାଗରିକ ମଞ୍ଚ ପକ୍ଷରୁ ଦୃଢ଼ ଚେତାବନୀ ଦିଆଯାଇଛି । ନୟାଗଡ଼ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ନେତୃତ୍ୱରେ ଦାବିପତ୍ର ଷ୍ଟେସନ ମ୍ୟାନେଜରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିବା ବେଳେ ଉପସଭାପତି ପ୍ରଦୀପ କୁମାର ସାହୁ,ସହସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ, ଅଶୋକ ମଲ୍ଲ,ପ୍ରଫୁଲ୍ଲ କୁମାର ନାୟକ,ପ୍ରଦୀପ କୁମାର ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।