ନୟାଗଡ଼ରେ ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ନାରୀ ନେତ୍ରୀ ଙ୍କ ବିଶାଳ ଶୋଭାଯାତ୍ରା ।

ଆଜି ତା 08.11 ଓଡ଼ିଶାକୁ ସମ୍ପୂର୍ଣ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ରୁଚିକା ସମାଜ ମଙ୍ଗଳ ସଂଗଠନ ସହିତ ହାତ ମିଲାଇଛନ୍ତି ନୟାଗଡ ଜିଲ୍ଲା ପ୍ରଶାସନ । କୈଳାସ ସତ୍ୟାର୍ଥୀ ଚିଲ୍ଡରେନସ ଫାଉଣ୍ଡେସନ ସହାୟତାରେ ଏକ ବିଶାଳ ଶୋଭା ଯାତ୍ରାରେ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ରୁ ପ୍ରାୟ 600 ରୁ ଉର୍ଦ୍ଧ ନାରୀ ନେତ୍ରୀ ଯୋଗଦେଇ ବାଲ୍ୟବିବାହ ମୁକ୍ତ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।

ବାଲ୍ୟ ବିବାହ ଭାରତ ବର୍ଷର ଏକ ଘୃଣିତ ପରମ୍ପରା । ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ବର୍ଷରେ ପ୍ରାୟ 23 ଭାଗରୁ ଅଧିକ ଏବଂ ଓଡ଼ିଶାରେ ପ୍ରାୟ 20 ଭାଗରୁ ଅଧିକ ଝିଅ ବାଳିକା ବଧୂ ସାଜି ଶାଶୁ ଘରକୁ ଚାଲିଯାଆନ୍ତି ଓ ସେଠାରେ ଶାରୀରିକ ତଥା ମାନସିକ ଯନ୍ତ୍ରଣାରେ ଛଟପଟ ହୁଅନ୍ତି । ପାଠ ତ୍ୟାଗ ସହିତ ଅଳ୍ପ ବୟସରେ ଗର୍ଭବତୀ ହୋଇ ନିଜ ଜୀବନ ଓ ଆଉ ଗୋଟିଏ ଛୁଆର ଜୀବନକୁ ବାଜିରେ ଲାଗନ୍ତି । 2006 ମସିହାଠାରୁ ବାଲ୍ୟ ବିବାହ ନିରୋଧ ଅଧିନିୟମ କାର୍ଯ୍ୟ କରୁଥିଲେ ମଧ୍ୟ 2020 ମସିହା ପର୍ଯ୍ୟନ୍ତ ମାତ୍ର 738 ଟି ମାମଲା ରଜୁ ହୋଇଥିବା ଏକ ଚିନ୍ତା ଜନକ ବିଷୟ ।

ରୁଚିକାର ଏହି କାର୍ଯ୍ୟକ୍ରମରେ 600 ରୁ ଉର୍ଦ୍ଧ ନାରୀନେତ୍ରୀ ନୟାଗଡ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଆସି ବାଲ୍ୟ ବିବାହ ବିରୋଧରେ ବିଭିନ୍ନ ନାରା ଦେଇ ଏକ ବିରାଟ ଶୋଭାଯାତ୍ରାରେ ନୟାଗଡ ସହର ପରିକ୍ରମା କରିଥିଲେ । ଶୋଭାଯାତ୍ରାଟି ନୟାଗଡ ଜିଲ୍ଲା ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ନୟାଗଡ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ସହର ପରିକ୍ରମା କରି ଥିଲା । ନାରୀନେତ୍ରୀ ମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ବାଲ୍ୟ ବିବାହ ମୁକ୍ତ ଭାରତ ପାଇଁ ସ୍ଲୋଗାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୟାଗଡ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁ କହିଲେ ଯେ, ନୟାଗଡ ଜିଲ୍ଲାରେ ଶତକଡା 36 ଭାଗ ପିଲା ବିବାହ କରନ୍ତି ଏବଂ ଏହି ଜିଲ୍ଲାରେ ପୁଅ ମାନଙ୍କ ତୁଳନାରେ ଝିଅ ମାନଙ୍କ ସଂଖ୍ୟା ବହୁତ୍ କମ୍ ଅର୍ଥାତ୍ 1000 ପୁଅ ରେ 916 ଜଣ ଝିଅ ଅଛନ୍ତି । ଏହି ଦୁଇଟି ଗମ୍ଭୀର ସମସ୍ୟାରୁ ନୟାଗଡ ଜିଲ୍ଲାକୁ ମୁକ୍ତ କରିବା ପାଇଁ ହେଲେ ଆମେ ସମସ୍ତେ ମିଳିମିଶି କାମ କରିବା ଉଚିତ୍ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବିଶେଷ କୁମାର ସାହୁ ବାଲ୍ୟ ବିବାହ ନିରୋଧ ଆଇନ ବିଷୟରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ । ନୟାଗଡ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ପଣ୍ଡା କହିଲେ, ନୟାଗଡ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ନୟାଗଡ ଜିଲ୍ଲା ପୋଲିସ ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ । ଏମାନଙ୍କ ବ୍ୟତୀତ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା କଅଁର, ଶ୍ରୀ ଅଶ୍ଵିନୀ କୁମାର ନାଏକ, ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ, ଶ୍ରୀ କିଶୋର ଚନ୍ଦ୍ର ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀ ଶିବ୍ୟାନ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଇତ୍ୟାଦି ଯୋଗଦେଇ ନାରୀ ନେତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ ରୁଚିକା ସମାଜ ମଙ୍ଗଳ ସଂଗଠନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ବେଣୁଧର ସେନାପତି ଓ ଧନ୍ୟବାଦ ଅର୍ପଣ କରିଥିଲେ ସୁରକ୍ଷା ଅଧିକାରୀ ଶ୍ରୀ ସତ୍ୟ ରଞ୍ଜନ ଦାସ । ବାଲ୍ୟ ବିବାହ ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କ୍ୟମ୍ପେନ ରଥ ବାହାରି ଥିଲା। ଏହି ରଥକୁ ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ଶ୍ରୀ ସାହୁ । କ୍ୟମ୍ପେନ୍ ରଥ ନୟାଗଡ ଜିଲ୍ଲାର ସମସ୍ତ ବ୍ଲକ୍ ବୁଲି ବୁଲି ଲୋକ ମାନଙ୍କୁ ବାଲ୍ୟ ବିବାହ ବିରୁଦ୍ଧରେ ସୂଚନା କରାଇବ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ଶ୍ରୀ ସତ୍ୟ ରଞ୍ଜନ ଦାସ ଓ ରୁଚିକା ସମାଜ ମଙ୍ଗଳ ସଂଗଠନର କୁମାରୀ ସୁଭସ୍ମିତା ମହାନ୍ତି, ଶ୍ରୀ ଚନ୍ଦ୍ର ଶେଖର ବେହେରା, କୁମାରୀ ସୁଶ୍ରୀ ସଂଗୀତା ଜେନା, କୁମାରୀ ସୁଚିସ୍ମିତା ଜେନା, ଶ୍ରୀ ଠାକୁରାମ ବେହେରା, ଶ୍ରୀ କେଶବ ଚନ୍ଦ୍ର ସେନାପତି, ଶ୍ରୀ ହେମନ୍ତ କୁମାର ଦାଶ ଓ ବି. ନାରାୟଣ ରେଡ୍ଡୀ । କ୍ୟାମ୍ପେନ ସଙ୍ଗୀତ ଗାନ କରିଥିଲେ କୁମାରୀ ବିଜୟ ଲକ୍ଷ୍ମୀ କର, କୁମାରୀ ରିଙ୍କିନା ସ୍ୱାଇଁ, କୁମାରୀ ତଟିନୀ ବିଶ୍ଵାଳ ।

You might also like