ତା ୧୪/୦୨ :- ସାରାବିଶ୍ୱ ଆଜି ଭାଲେଣ୍ଟାଇନ ଡେ଼ ପାଳନ କରୁଥିବା ବେଳେ ନୟାଗଡ ବ୍ଲକ ବାଲୁଗାଁ ପଞ୍ଚାୟତ ଅନ୍ତର୍ଗତ ସରସ୍ବତୀ ଶିଶୁମନ୍ଦିର, ପାଣିପୋଇଲାର ଛାତ୍ର ଛାତ୍ରୀ ମାନେ ଆଜି ବିଦ୍ୟାଳୟ ପରିସରରେ ମାତୃପିତୃ ପୂଜନ ଦିବସ ପାଳନ କରି ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି | ଏହି ଉତ୍ସବର ଆୟୋଜିତ ସଭାରେ ବିଦ୍ୟାମନ୍ଦିରର ସମ୍ପାଦକ ମନୋରଞ୍ଜନ ପଣ୍ଡା ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ପୂଜ୍ୟପୂଜାର ସମ୍ମାନକୁ ବଜାୟରଖି ଭବିଷ୍ୟତରେ ସୁନାଗରିକ ହୋଇ ସମୃଦ୍ଧ ଦେଶ ଗଠନରେ ସହାୟକ ହେବାକୁ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ |

ସମ୍ମାନୀତ ଅତିଥିଭାବେ ବିଶିଷ୍ଟ ଶିକ୍ଷାବିତ ପବିତ୍ର ମୋହନ ସାହୁ ଯୋଗଦେଇ ପିତାମାତାଙ୍କର ସେମାନଙ୍କ ସନ୍ତାନମାନଙ୍କ ପ୍ରତି ଥିବା ନିସ୍ଵାର୍ଥପର ସେବାକୁ ସ୍ମରଣ କରି ସମାଜରେ ଗୁରୁଜନମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ରଖିଲେ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ହୋଇପାରିବ ବୋଲି ମତ ରଖିଥିଲେ | ପରିଶେଷରେ ଉପସ୍ଥିତ ଅଭିଭାବକ ଅଭିଭାବିକା ମାନଙ୍କୁ କୁନି କୁନି ଶିଶୁମାନେ ପୁଷ୍ପ ଧୂପ ଦେଇ ବନ୍ଦାପନା କରି ପ୍ରଣାମ ଜଣାଇ ଗୁରୁଜନମାନଙ୍କଠାରୁ ଆଶୀର୍ବାଦ ଭିକ୍ଷାକରିଥିଲେ | ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବ ବେଶ ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ହୋଇପାରିଥିଲା |