Skip to content

ପୁରୁଣା ପେନସନ ଦାବିରେ ୧୮ରେ ରାଜଧାନୀରେ ବିଶାଳ ଆନ୍ଦୋଳନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଆସନ୍ତା ୧୮ ତାରିଖରେ ରାଜଧାନୀ ଭୁବନେଶ୍ବର ଠାରେ ପୁରୁଣା ପେନସନ ଦାବିରେ ଏକ ବିଶାଳ ଆନ୍ଦୋଳନ ହେବ। ଏଥିରେ ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ନୂତନ ପେନସନ ଭୁକ୍ତ ସରକାରୀ କର୍ମଚାରୀମାନେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବେ। ଏ ନେଇ ନୟାଗଡ଼ ଜିଲ୍ଲାରେ ଏକ ପ୍ରସ୍ତୁତି ବୈଠକ ଅଭାସୀ ବୈଠକ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯୋଗ୍ୟ ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୦୦୫ ପରେ ନିଯୁକ୍ତ ସମସ୍ତ ବର୍ଗର ସରକାରୀ କର୍ମଚାରୀଙ୍କୁ ନୂତନ ପେନସନ ଯୋଜନାରେ ସାମିଲ କରି ପେନସନ ଦେବାର ବ୍ୟବସ୍ଥା କରିଛନ୍ତି। ତେବେ ନୂତନ ପେନସନ ବ୍ୟବସ୍ଥାରେ ଜଣେ କର୍ମଚାରୀ ସର୍ବନିମ୍ନ କେତେ ପେନସନ ପାଇବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ନୂତନ ପେନସନ ଯୋଜନାରେ ଜଣେ ସରକାରୀ କର୍ମଚାରୀଙ୍କ ଦରମାର ୧୦ପ୍ରତିଶତ ଅର୍ଥ କଟାଯାଇ ପୁଞ୍ଜି ବଜାରରେ ବିନିଯୋଗ ହୋଇଥାଏ।

ଏବଂ ପୁଞ୍ଜି ବଜାରର ବୃଦ୍ଧି ହ୍ରାସ ହାର ଉପରେ ଏହି ପେନସନ ନିର୍ଭର କରେ । ଫଳରେ ଜଣେ ସରକାରୀ କର୍ମଚାରୀ ଅବସର ପରେ ନିଜର ଗୁଜୁରାଣ ତଥା ସାମାଜିକ ସୁରକ୍ଷା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ତେଣୁ ରାଜ୍ୟ ସରକାର ତୁରନ୍ତ ପୁରୁଣା ପେନସନ ଯୋଜନା ଲାଗୁ କରିବା ପାଇଁ ଏହି କର୍ମଚାରୀ ମାନେ ଦାବି କରିବା ସହିତ ଆସନ୍ତା ୧୮ ତାରିଖରେ ଏକ ବିଶାଳ ଆନ୍ଦୋଳନରେ ଯୋଗଦେବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି।

Ad 1