ଫତେଗଡ଼ ଅନ୍ୟ ଏକ ଅଯୋଧ୍ୟା !ମନ୍ଦିର ନିର୍ମାଣ ପଛର ଘଟଣା

 ବିଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଦେବାଳୟଗୁଡ଼ିକ ମଧ୍ୟରେ ନୟାଗଡ଼ ଜିଲ୍ଲା ଫତେଗଡ଼ ଶ୍ରୀରାମ ମନ୍ଦିର ଅନ୍ୟତମ। ମହାନଦୀଠାରୁ ଅନତି ଦୂରରେ ଅବସ୍ଥିତ ଫତେଗଡ଼ ଗ୍ରାମର ଗିରିଗୋବର୍ଦ୍ଧନ ପାହାଡ଼ରେ ନିର୍ମିତ ଭବ୍ୟ ଶ୍ରୀରାମ ମନ୍ଦିରର ପରିବେଶ, ଅବସ୍ଥିତି ନିହାତି ଭାବେ ଅଶାନ୍ତ ହୃଦୟକୁ ଶାନ୍ତି କରିବାରେ ସମର୍ଥ ହେବ ବୋଲି କୁହାଯାଉଛି। ସୁନୀଳ ଆକାଶକୁ ଛୁଉଁଥିବା ଏହି ପାହାଡ଼ ଉପରେ ବଉଳମାଳା ପଥରରେ ନିର୍ମାଣ କରାଯାଇଥିବା ଶ୍ରୀରାମ ମନ୍ଦିର ଏବଂ ଏହାର କାରୁକାର୍ଯ୍ୟ ଫତେଗଡ଼ ଗ୍ରାମକୁ ଇତିହାସରେ ଲିପିବଦ୍ଧ କରିବାର ସାମର୍ଥ ବହନ କରୁଛି। ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ସାମିଲ ହେବାର ବଳିଷ୍ଠ ଦାବି ରଖୁଥିବା ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ନିକଟରେ ସମାପନ ହୋଇଛି। ତେବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହାକୁ ଅନେକ ଦ୍ବିତୀୟ ଅଯୋଧ୍ୟ ଭାବେ ଅବିହିତ କରୁଛନ୍ତି।

ମନ୍ଦିର ନିର୍ମାଣ ପଛର ଘଟଣା: ଫତେଗଡ଼ ଗ୍ରାମର ପୂର୍ବତନ ସରବରକାର ଦାମୋଦର ପ୍ରଧାନଙ୍କ ଅଣନାତି ଚକ୍ରଧର ପ୍ରଧାନଙ୍କ ମଝିଆ ପୁଅ ହେଲେ ବେଣୁଧର ପ୍ରଧାନ। ରାତିରେ ଶୋଇଥିବା ସମୟରେ ଚକ୍ରଧର ପ୍ରଧାନ ଏକ ରାମ ମନ୍ଦିର ନିର୍ମାଣ କଥା ସ୍ୱପ୍ନ ଦେଖିଥିଲେ। ବାପା ଚକ୍ରଧର ବଡ଼ପୂଅ ମନୋଜ, ମଝିଆ ପୁଅ ବେଣୁଧର ଓ ସାନପୁଅ କାହ୍ନୁଚରଣ ଙ୍କ ସହ ଏନେଇ ଆଲୋଚନା କରିଥିଲେ। ସେମାନେ ଏଥିପାଇଁ ଆଗ୍ରହ ଦେଖାଇଥିଲେ। ଏହାପରେ ଚକ୍ରଧର ଏ କଥା ଗ୍ରାମ୍ୟ କମିଟି ସମ୍ମୁଖରେ ଉପସ୍ଥାପନ କରିବାରୁ ଗ୍ରାମବାସୀମାନେ ମଧ୍ୟ ଖୁସି ହୋଇ ସମ୍ମତି ଦେଇଥିଲେ।

ଏହାପରେ ୨୦୧୯ ମସିହା ଜୁନ ମାସରେ ପାହାଡ଼ ଶିଖରରେ ଶୁଭ ଦିଆଯାଇ ମନ୍ଦିର ପାଇଁ ପ୍ରଥମେ ରାସ୍ତା ନିର୍ମାଣ ହୋଇଥିଲା। ଏଥିପାଇଁ ଚକ୍ରଧର ପ୍ରଧାନ ପ୍ରଥମେ ନିଜେ ପ୍ରଥମେ ଏକ ଲକ୍ଷ ଟଙ୍କା ଦେଇଥିଲେ। ଏହି ଟଙ୍କା ସହ ଗ୍ରାମବାସୀମାନଙ୍କ ଆର୍ଥିକ ସହଯୋଗରେ ଏବେ ଏହି ମନ୍ଦିର ନିର୍ମାଣ ହୋଇଛି। ଏକ ଲକ୍ଷ ଟଙ୍କାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଏହି ମନ୍ଦିରରେ ବର୍ତ୍ତମାନ ସୁଦ୍ଧା ୩୦ କୋଟି ଖର୍ଚ୍ଚ ହୋଇଛି ବୋଲି କମିଟି ତରଫରୁ ଜଣାପଡ଼ିଛି।

You might also like