ଫତେଗଡ଼  ଅଯୋଧ୍ୟା  ମନ୍ଦୀର !   ୧୯୧୨ ମସିହାରେ ମିଳିଥିଲା ସୁଦର୍ଶନଙ୍କ ଦାରୁ

ଫତେଗଡ଼, ଗଡ଼ଜିତ ଓ କୃଷ୍ଣଚନ୍ଦ୍ରପୁର ତିନୋଟି ଗ୍ରାମକୁ ନେଇ ବୃହତ୍ ଫତେଗଡ଼ ଗ୍ରାମ ଗଠିତ। ଏହା ବର୍ତ୍ତମାନ କୁହାଯାଉଥିବା ଶ୍ରୀରାମ ପାହାଡ଼ ଯାହାକୁ ଗ୍ରାମବାସୀମାନେ ବଡ଼ ମୁଣ୍ତିଆ ବୋଲି କୁହନ୍ତି ତାହାର ପାଦ ଦେଶରେ ଅବସ୍ଥିତ। ଗ୍ରାମଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଗ୍ରାମର ଦକ୍ଷିଣ ପାର୍ଶ୍ଵରେ ଥିବା ଡୁମାଳୁଣୀ ମନ୍ଦିର, ବଧି ପୋଖରୀ ନିକଟରେ ଥିବା ଶ୍ମଶାନ ନିକଟରୁ ୧୯୧୨ ମସିହାରେ ପ୍ରଭୁ ସୁଦର୍ଶନଙ୍କ ଦାରୁ ମିଳିଥିଲା। ସେତେବେଳେ ପରାଧୀନ ଭାରତରେ ଖଣ୍ତପଡ଼ା ରାଜା ନଟବର ସିଂହ ସାମନ୍ତ ରାମଚନ୍ଦ୍ର ସିଂହ ମର୍ଦ୍ଦରାଜଙ୍କ ଶାସନ ଚାଲିଥାଏ। ଖଣ୍ତପଡ଼ା ରାଜ୍ୟର ଏହା ପୂରପଟ ସୀମାନ୍ତ ଗଡ଼ ଥିବାରୁ ଏହା ବହୁ ଗୁରୁତ୍ୱ ବହନ କରୁଥିଲା। ସେଥିପାଇଁ ଫତଗଡ଼ ଗ୍ରାମରେ ରହିଥିଲେ ଅନେକ ସରବରକାର। ସରବରକାର ଦାମୋଦର ପ୍ରଧାନ, ନନ୍ଦ ସାମନ୍ତରାୟ, ଧରମ ସୁବୁଦ୍ଧି, ଦାମ ସାମନ୍ତରାୟ, କୁଞ୍ଜ ସୁମନ୍ତ, କାଶିନାଥ ଜଗତ ସିଂହ ଦଳବେହେରା, ରାମହରି ସପ୍ସଗ୍ରାମ ସିଂହ ଭଳି ବ୍ୟକ୍ତିମାନେ ସରବରକାର ଭାବେ ଅଞ୍ଚଳ ଦାୟିତ୍ୱରେ ରହିଥିଲେ। ସେହି ସମୟରେ ସୁଦର୍ଶନଙ୍କ ଦାରୁ ଏହି ସୁନାମଧନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଗ୍ରାମବାସୀମାନେ ଶଗଡ଼ ଯୋଗେ ପୁରୀ ନେଇଥିଲେ।

ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ଦାବି: ଶ୍ରୀରାମ ମନ୍ଦିର ନୟାଗଡ଼ ଜିଲ୍ଲାର ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀ ପାଲଟି ସାରିଥିବା ବେଳେ ଏହାକୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପ୍ରଦାନ କରାଯିବା ପାଇଁ ଫତେଗଡ଼ ଗ୍ରାମବାସୀଙ୍କ ସମେତ ଭାପୁର ବାସୀ ଦାବି କରିଛନ୍ତି। ଏହା ସହିତ ରାଜ୍ୟ ସରକାର ଏହାର ଆନୁସଙ୍ଗିକ ବିକାଶ ପାଇଁ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ମନ୍ଦିରକୁ ମୁଖ୍ୟ ରାସ୍ତାଠାରୁ ନୂତନ ରାସ୍ତା ନିର୍ମାଣ କରାଯିବା ସହ ଉକ୍ତ ପାହାଡ଼କୁ ସୌନ୍ଦର୍ଯ୍ୟମୟ କରିବା ପାଇଁ ସ୍ୱତନ୍ତ୍ର ଭାବେ ସହାୟତା ଯୋଗାଇ ଦେବାକୁ ଫତେଗଡ଼ବାସୀ ଅନୁରୋଧ କରିଛନ୍ତି ।

ଦର୍ଶନ କରି ସାରିଲେଣି ୧୦ ଲକ୍ଷରୁ ଅଧିକ ଭକ୍ତ

ମନ୍ଦିର ପ୍ରତିଷ୍ଠା ପାଇଁ ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖରେ ପୂର୍ଣ୍ଣାହୁତି ଶେଷ ହୋଇଛି। ୨୨ ତାରିଖ ପ୍ରାଣ ପ୍ରତିଷ୍ଠା ଅବସରରେ ୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଏବେ ସୁଦ୍ଧା ୧୦ ଲକ୍ଷ ଲୋକ ଶ୍ରୀରାମଙ୍କ ଦର୍ଶନ କରି ସାରିଲେଣି। ଫତେଗଡ଼ ଶ୍ରୀରାମ ମନ୍ଦିର ଏବେ ଦର୍ଶନାର୍ଥୀଙ୍କ ପାଇଁ ଆକର୍ଷଣୀୟ ପାଲଟିଛି। ପାହାଡ଼ ଉପରେ ନିର୍ମାଣ ହୋଇଥିବା ଏହି ମନ୍ଦିରକୁ ମିନି ଅଯୋଧ୍ୟା ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ମନ୍ଦିରଟି ନୟାଗଡ଼ ଜିଲ୍ଲାର ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀରେ ପାଲଟି ସାରିଥିବା ବେଳେ ଆଧ୍ୟାତ୍ମିକ ଭାବାବେଗ ସୃଷ୍ଟି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜାନା ରହିଛି ।

ସେମାନେ କୁହନ୍ତି …ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କୁ ମର୍ଯ୍ୟଦା ପୁରୁଷ କୁହାଯାଏ। ଫତେଗଡ଼ ଗିରିଗୋବର୍ଦ୍ଧନ ପାହାଡ଼ ଉପରେ ପ୍ରତିଷ୍ଠା ହୋଇଥିବା ମନ୍ଦିର ଏକ ଅନନ୍ୟ କୀର୍ତ୍ତିରାଜି ଓ ଏହା ଭଗବାନଙ୍କ ପୂର୍ବ ନିର୍ଦ୍ଧାରିତ ବୋଲି କୁହାଯାଇପାରେ। ପ୍ରଭୁ ଜଙ୍ଗଲ ପାହାଡ଼କୁ ଭଲ ପାଆନ୍ତି, ଯେହେତୁ ଏହି ପାହାଡ଼ରେ ପୂର୍ବରୁ ଗିରିଗୋବର୍ଦ୍ଧନଙ୍କୁ ପୂଜା କରାଯାଉଥିଲା ତେଣୁ ଏଠାରେ ଏପରି ଏକ ମନ୍ଦିର କଥା ଗ୍ରାମବାସୀ ପରିକଳ୍ପନା କରୁଥିଲେ। ଯାହାକୁ ବାସ୍ତବ ରୂପ ନେଇଛି। ଫତେଗଡ଼ ଶ୍ରୀରାମ ମନ୍ଦିରକୁ ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ପାରିପାର୍ଶ୍ବିକ ଅବସ୍ଥା, ଚାରିପଟେ ନୀଳ ସବୁଜ ବନାନୀ ଏହାକୁ ଆକର୍ଷଣୀୟ କରିଛି। ପ୍ରଭୁଙ୍କ ଆଗମନ ଅଞ୍ଚଳରେ ଧର୍ମ ଭାବନା, ଭାଇଚାର ବୃଦ୍ଧି କରିବ। ରାମ ରାଜ୍ୟ କଥା ସବୁବେଳେ ହିନ୍ଦୁମାନେ ସ୍ୱପ୍ନ ଦେଖିଥାନ୍ତି। ବର୍ତ୍ତମାନ ଅଯୋଧ୍ୟା ସହ ଫତେଗଡ଼ରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ଏକ ନୂଆ ଯୁଗ ଆରମ୍ଭର ସଙ୍କେତ ଦେଉଛି। ହିନ୍ଦୁମାନେ ବିଶେଷ କରି ଓଡ଼ିଆମାନେ ଅଧିକ ଦେବ ବିଶ୍ୱାସୀ। ଏବେ ଏହିପରି ରାମ ମନ୍ଦିର ଲୋକଙ୍କ ମଧ୍ୟରେ ଅଧିକ ରାମଭକ୍ତି ଜାଗରଣ କରିବ ବୋଲି ଆଶା କରାଯାଇପାରେ ।

ଲୋକନାଥ ଆଚାର୍ଯ୍ୟ

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଫତେଗଡ଼

ଫତେଗଡ଼ ଶ୍ରୀରାମ ପାହାଡ଼ ଉପରେ ନିର୍ମିତ ଶ୍ରୀରାମ ମନ୍ଦିର ଏକ ଅନନ୍ୟ କୀର୍ତ୍ତିରାଜି ଓ ପଥର ଦେହରେ ନିଖୁଣ କାରିଗରୀର ଉଦାହରଣ। ସମୁଦ୍ର ପତ୍ତନଠାରୁ ୧୬ ଶହ ଫୁଟ ଉଚ୍ଚରେ ନିର୍ମିତ ୬୫ ଫୁଟର ସୁଉଚ୍ଚ ମନ୍ଦିର ହୋଇଛି ଆକର୍ଷଣୀୟ। ବଉଳମାଳା ପଥରରେ ନିର୍ମିତ ଏହି ରାମ ମନ୍ଦିର ଓଡ଼ିଶାରେ ଅନନ୍ୟ। ଏହା ଅଞ୍ଚଳର ଜନସାଧାରଣଙ୍କ ଧର୍ମ ଭାବନା ଓ ଭାଇଚାରକୁ ବୃଦ୍ଧି କରିବା ସହ ଅଞ୍ଚଳର ଆର୍ଥିକ ପ୍ରଗତିର ମାଧ୍ୟମ ପାଲଟିବ। ସରକାର ଏହାକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇ ଆର୍ଥିକ ଅନୁଦାନ ପ୍ରଦାନ କଲେ ଅନେକ ବ୍ୟକ୍ତି ବିଶେଷଙ୍କ ପାଇଁ ରୋଜଗାରର ମାଧ୍ୟମ ହୋଇପାରିବ।

ରବୀନ୍ଦ୍ର କୁମାର ପଟ୍ଟନାୟକ

ବରିଷ୍ଠ ସାମ୍ବାଦିକ

ଫତେଗଡ଼ ଶ୍ରୀରାମ ପାହାଡ଼ ଉପରେ ନିର୍ମିତ ଶ୍ରୀରାମ ମନ୍ଦିର ଏକ ଅଲୌକିକ କୀର୍ତ୍ତି। ଏହା ସାଧାରଣତଃ କଳ୍ପନା କରାଯାଇପାରେ ମାତ୍ର ବାସ୍ତବରେ ପରିଣତ ହେବା ଏକ ଦୈବୀ ଆଶୀର୍ବାଦ। ଏଠାରେ ପୂର୍ବରୁ ଗିରିଗୋବର୍ଦ୍ଧନ ଠାକୁରଙ୍କୁ ପୂଜା କରାଯାଉଥିବାରୁ ଏହା ଅଞ୍ଚଳବାସୀଙ୍କ ଆସ୍ଥା ଓ ବିଶ୍ୱାସ ସହ ଯୋଡ଼ି ହୋଇ ରହିଥିଲା। ଯାହା ବେଣୁଧର ପ୍ରଧାନଙ୍କ ଯୋଗୁଁ ବାସ୍ତବରେ ପରିଣତ ହୋଇଛି। ସୂର୍ଯ୍ୟ ବପ୍ସଶୀ , କୌଶଲ୍ୟା ନନ୍ଦନ ପ୍ରଭୁ ଶ୍ରୀରାମଙ୍କ ଗୁଣ ଗାଥା ବିଶ୍ୱ ବିଦିତ। ତାଙ୍କ ସୌମ୍ୟ ମନ୍ଦିର ନିର୍ମାଣ ହେବା ଫତେଗଡ଼ କାହିଁକି ସାରା ଜିଲ୍ଲାକୁ ଚର୍ଚ୍ଚିତ କରିଛି। ଧର୍ମ ବିନା ସଂସାର ଓ ମାନବ ସୃଷ୍ଟି ପରିକଳ୍ପନା ଅସମ୍ଭବ। ଏପରି ଏକ ଅନନ୍ୟ ମନ୍ଦିର ମାନବଜାତି ପାଇଁ ଅନେକ ମହତ୍ତ୍ଵ ରଖେ। ଏହି ମନ୍ଦିର ଅଞ୍ଚଳର ଆର୍ଥିକ ପ୍ରଗତିର ରଥ ପାଲଟିବ ବୋଲି ଆଶା କରାଯାଉଛି।

You might also like