ଫତେଗଡ଼ ଅଯୋଧ୍ୟା ମନ୍ଦୀର !ଖଞ୍ଜା ହେବ ୨୦ ଏକର ଜମି
ଶ୍ରୀରାମ ମନ୍ଦିର ପରିଚାଳନା ପାଇଁ ଟ୍ରଷ୍ଟ କାର୍ଯ୍ୟ କରିବ ବୋଲି ପରିଚାଳନା ପରିଷଦ ସଭାପତି ବେଣୁଧର ପ୍ରଧାନ କହିଛନ୍ତି। ମନ୍ଦିର ପାଇଁ ୨୦ ଏକର ଜମି ଖଞ୍ଜା ଯିବା ପାଇଁ ଯୋଜନା ସରିଛି। ଏଥିସହିତ ଏକ ଗୋଶାଳା ନିର୍ମାଣ କରାଯିବାକୁ ମଧ୍ୟ ଯୋଜନା ହୋଇଛି। ମନ୍ଦିର ପ୍ରତିଷ୍ଠା କରିଥିବା ପୁରୋହିତଙ୍କ ମତନୁସାରେ, ମନ୍ଦିର ନିକଟରେ ବଟବୃକ୍ଷ ବଗିଚା, ଲିମ୍ବ ବଗିଚା, ତୁଳସୀ ବଣ ନିର୍ମାଣ କରାଯିବ। ମନ୍ଦିର ପାଇଁ ଆୟ ବ୍ୟବସ୍ଥା କରିବାକୁ ନିକଟରେ ଏକ ପାର୍କ ନିର୍ମାଣ କରାଯିବ। ଏହି ପାର୍କକୁ ଆସୁଥିବା ପର୍ଯ୍ୟଟକଙ୍କଠାରୁ ଯେଉଁ ଆୟ ହେବ ତାହା ଟ୍ରଷ୍ଟ ମାଧ୍ୟମରେ ମନ୍ଦିର କାର୍ଯ୍ୟରେ ଲାଗିବ। ସେହିଭଳି ଭାବେ ଦର୍ଶକ ପାହାଡ଼ ଉପରକୁ ଯିବା ପାଇଁ ରୋପ-ୱେ ବ୍ୟବସ୍ଥା କରାଯାଇଛି। ଉକ୍ତ ରୋପ-ୱେରୁ ଯେଉଁ ଆୟ ହେବ ତାହା ମଧ୍ୟ ମନ୍ଦିର ପରିଚାଳନା ଓ ଉନ୍ନତିକରଣ କାର୍ଯ୍ୟରେ ଲାଗିବ। ଏବେ ଠାକୁରଙ୍କ ଦୈନନ୍ଦିନ ପୂଜା ପାଇଁ ୩୬୫ ଜଣ ଦାତା ତଥା ସଦସ୍ୟ ଚୟନ ହୋଇଛନ୍ତି। ଉକ୍ତ ସଦସ୍ୟମାନେ ଗୋଟିଏ ଦିନର ଲେଖାଏଁ ଖର୍ଚ୍ଚ ଦାୟିତ୍ୱ ସମ୍ଭାଳିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ବର୍ଷା ପାଇଁ ହେଉଥିଲା ଗିରି ଗୋବର୍ଦ୍ଧନ ପୂଜା: ଦୀର୍ଘବର୍ଷ ତଳୁ ବର୍ଷାର ଅଭାବ ଦେଖାଦେଲେ ଏହି ପାହାଡ଼ ଉପରକୁ ଯାଇ ଫତେଗଡ଼ ଗ୍ରାମବାସୀ ଗିରିଗୋବର୍ଦ୍ଧନ ପୂଜାକରି ଆସୁଥିଲେ। ପୂଜା କରିବା ପରେ ନିଶ୍ଚିତ ବର୍ଷା ମଧ୍ୟ ହେଉଥିଲା। ଯାହାକୁ ନେଇ ଗ୍ରାମବାସୀ ସେଠାରେ ଏକ ମନ୍ଦିର ନିର୍ମାଣ କରିବାର ପରିକଳ୍ପନା ଆରମ୍ଭ କଲେ। ଫତେଗଡ଼ ଗ୍ରାମର ବେଣୁଧର ପ୍ରଧାନଙ୍କୁ ଉକ୍ତ ମନ୍ଦିର ନିର୍ମାଣ ପରିଷଦ ସଭାପତି ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିଲା। ନିର୍ମାଣ ପରିଷଦ ଦ୍ୱାରା ଉକ୍ତ ସ୍ଥାନରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ମନ୍ଦିର ନିର୍ମାଣରେ ସାକେରୀ କାରିଗର : ଉତ୍କଳର କଳା ଭାସ୍କର୍ଯ୍ୟ ପୃଥିବୀରେ ଅନନ୍ୟ। ନିହଣ ମୁନରେ ପଥର ଦେହରେ ଖୋଦେଇ ହୋଇଥିବା ଜୀବନ୍ତ କଳାଶୈଳୀ ପ୍ରତୀକ କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ଭୁବନେଶ୍ୱର ରାଜାରାଣୀ ଭଳି ଅନେକ ମନ୍ଦିର ଆଜି ବି ଜାଜ୍ୱଲ୍ୟମାନ। କୋଣାର୍କ ମନ୍ଦିର ମୁଖ୍ୟ ବିନ୍ଧାଣି ବିଶୁ ମହାରଣାର ବଂଶଧରମାନେ ଏବେ ବି ସେପରି କାରୁକାର୍ଯ୍ୟ ସ୍ଥାପତ୍ୟ ନମୁନା ପ୍ରଦର୍ଶନ କରିପାରନ୍ତି ତାହା ଫତେଗଡ଼ ଶ୍ରୀରାମ ପାହାଡ଼ ଉପରେ ନିର୍ମିତ ହୋଇଥିବା ଭବ୍ୟ ଶ୍ରୀରାମ ମନ୍ଦିର ଦେଖିଲେ ଅନୁଭବ କରିହେବ। ଏହି ମନ୍ଦିର କାରୁକାର୍ଯ୍ୟ ରୋମାଞ୍ଚିତ କରିବା ସହ କଳା ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରୁଛି। ମନ୍ଦିରଟି ବଉଳମାଳା ପଥରରେ ନିର୍ମାଣ ହୋଇଛି। ଏହି ଦୁଷ୍ପାପ୍ୟ ପଥର ଓଡ଼ିଶା ମାଇନିଙ୍ଗ କର୍ପୋରେସନ ଅଧୀନରେ ଥିବା ତାପଙ୍ଗ ଭୋଗପୁର ଖଣିରୁ କିଣାଯାଇଛି। ଏହାକୁ ଫତେଗଡ଼ ଅଣାଯାଇ ପଲିସ କରି ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଆକାରରେ କଟାଯାଇ ମନ୍ଦିର ଗଢ଼ାଯାଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସାକେରୀ ପଞ୍ଚାୟତ ବାଲିଆଛତରା ଗ୍ରାମର ପ୍ରତିଭାବାନ ପଥର କାରିଗର ରାମ ସାହୁ(ଟୁକୁ)ଙ୍କ ନେତୃତ୍ୱରେ ୪୦ ଜଣ କାରିଗରଙ୍କ ଦୀର୍ଘବର୍ଷ ଅକ୍ଲାନ୍ତ ପରିଶ୍ରମ ବଳରେ ଏହା ସମ୍ଭବ ହୋଇପାରିଛି। ଅନ୍ୟ ନିପୁଣ କାରିଗରମାନେ ହେଲେ ବସନ୍ତ ପ୍ରଧାନ, ମଙ୍ଗୁଳି ବାରିକ, ଜିତୁ ପ୍ରଧାନ, ମନୋଜ ପ୍ରଧାନ, ମନୋଜ ସ୍ୱାଇଁ ଓ ଗୋପାଳ ସ୍ୱାଇଁ ଓ ଅନ୍ୟମନେ। ପୂର୍ବରୁ କନ୍ୟାକୁମାରୀ, ଓଡ଼ିଶାର ତାରାତାରିଣୀ ଭଳି ଅନେକ ମନ୍ଦିର ଗଢ଼ିଥିବା ଏହି କୁଶଳୀ କାରିଗରମାନେ ଏଠାରେ ତାଙ୍କର କଳାନିପୁଣତାର ନିଦର୍ଶନ କରିଛନ୍ତି ।
ଭକ୍ତଙ୍କ ପାଇଁ ବାଇଶି ପାହାଚ: ଏହି ଭବ୍ୟ ଶ୍ରୀରାମ ମନ୍ଦିର ତିନୋଟି ମନ୍ଦିର ବିଶିଷ୍ଟ। ମୁଖ୍ୟ ମନ୍ଦିର ୬୫ ଫୁଟ ଉଚ୍ଚ, ମୁଖଶାଳା ୪୫ ଫୁଟ୍ ଓ ନାଟ ମଣ୍ତପ ୩୫ ଫୁଟ ଉଚ୍ଚ ହୋଇଛି। ଏହା ସହ ମନ୍ଦିର ବେଢ଼ା ଭିତରେ ଚାରୋଟି ପାର୍ଶ୍ବ ମନ୍ଦିର ସୂର୍ଯ୍ୟ ମନ୍ଦିର, ଗଣେଶ ମନ୍ଦିର, ରାମେଶ୍ୱର ମନ୍ଦିର ଓ ହନୁମାନ ମନ୍ଦିର ମଧ୍ୟ ନିର୍ମାଣ ହୋଇଛି। ଏହି ସମସ୍ତ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ମେଘନାଦ ସଦୃଶ ପ୍ରାଚେରି ନିର୍ମାଣ ହୋଇଛି। ମନ୍ଦିର ଭିତରକୁ ଯିବା ପାଇଁ ଚାରି କଡ଼ରେ ସିଂହଦ୍ୱାର, ଅଶ୍ୱଦ୍ୱାର, ହସ୍ତିଦ୍ୱାର ଓ ବ୍ୟାଘ୍ରଦ୍ୱାର ନିର୍ମାଣ କରାଯାଇଛି। ମନ୍ଦିର ପୂର୍ବ ପଟେ ସିଂହଦ୍ୱାର ସମ୍ମୁଖରେ ବାଇଶି ପାହାଚ ଦେଇ ଭକ୍ତମାନେ ମନ୍ଦିରକୁ ପ୍ରବେଶ କରିବେ। ମନ୍ଦିର ପ୍ରାଙ୍ଗଣ ବଉଳମାଳା ପଥରରେ ନିର୍ମାଣ କରାଯାଇଛି।