ବଡ଼ସିଲିଙ୍ଗା ଆଶ୍ରମ ବିଦ୍ୟାଳୟରେ ବିପଦପୂର୍ଣ୍ଣ ପାଣି ଟାଙ୍କି।

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବଡଶିଲିଙ୍ଗା ଗ୍ରାମପଞ୍ଚାୟତ ଅଧିନ ଆଶ୍ରମ ବିଦ୍ୟାଳୟ ପରିସରରେ ଅବସ୍ଥିତ ବହୁ ବର୍ଷର ପୁରୁଣା ପାଣି ଟାଙ୍କି ଟି ଅକାମୀ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି । ଉକ୍ତ ଟାଙ୍କିରୁ ଛେଲା ଚ୍ଛେଲା ହୋଇ ପ୍ଲାଷ୍ଟର ଛାଡ଼ି ପଡ଼ିବା ସହିତ ଖମ୍ବ ଗୁଡିକରେ ଅନେକ ଫାଟ ସୃଷ୍ଟି ହୋଇଛି । ଯାହାକି ତାହା ବିପଦ ପୂର୍ଣ୍ଣ ସଂକେତ ଦେଇସାରିଛି । ଏହି ଆଶ୍ରମ ବିଦ୍ୟାଳୟ ଟି ଦୀର୍ଘ 71 ବର୍ଷ ପୂର୍ବରୁ ଓଡିଶା ସରକାରଙ୍କ ଅନୁସୂଚିତ ଜାତି , ଓ ଅନୁସୂଚିତ ଜନଜାତି ଉନ୍ନୟନ , ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ତରଫରୁ 1952 ମସିହାରେ ସ୍ଥାପିତ ହୋଇଥିଲା । ଏଠାରେ ନୟାଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ବାସକରୁଥିବା ବାଇଶି ପଲ୍ଲୀ ଅଞ୍ଚଳର ବିଭିନ୍ନ ବର୍ଗର ଗରିବ ଛାତ୍ର ଛାତ୍ରୀମାନେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମିଶି 225 ଜଣ ଅଧ୍ୟୟନ କରୁଛନ୍ତି । ସେଥିମଧ୍ୟରୁ ବାଳିକା 87 ଜଣ ଓ ବାଳକ 80 ଜଣ ମିଶି ମୋଟ୍ 167 ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲରେ ରହୁଛନ୍ତି ।

ଉକ୍ତ ବିଦ୍ୟାଳୟରେ 13 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଥିବାବେଳେ ସେଥିରୁ 2 ଜଣ ଅତିଥି ଶିକ୍ଷକ ରୂପେ କାର୍ଯ୍ୟ କରୁଥିବାର ପ୍ରଧାନ ଶିକ୍ଷକଙ୍କୁ ଠାରୁ ସୂଚନା ମିଳିଛି । ଉକ୍ତ ବିପଜ୍ଜନକ ପାଣି ଟାଙ୍କି କୁ ଲାଗିକରି ହଷ୍ଟେଲ ରହିଥିବା ବେଳେ ଓ ତାହାରି ନିକଟରେ ପିଲାମାନେ ଚଳ ପ୍ରଚଳ କରୁଛନ୍ତି । ଏଥିନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ କୁ ବାରମ୍ବାର ପାଣି ଟାଙ୍କୀ ଟିକୁ ଭାଙ୍ଗିବା ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜି କୋମଳମତୀ ପିଲାମାନଙ୍କ ଜୀବନ ଉପରେ ଖେଳ ଖେଳୁଛି । ଯଦି ବିପଦ ପୂର୍ଣ୍ଣ ପାଣି ଟାଙ୍କୀ ଟି ଭାଙ୍ଗି ଛାତ୍ର ଛାତ୍ରୀ ମାନଙ୍କର ଜୀବନ ଉପରେ କିଛି ବିପଥ ସୃଷ୍ଟି କରେ , ତେବେ ଏଥିପାଇଁ କିଏ ଦାୟୀ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି। ଏହି ଅଚଳ ପାଣି ଟାଙ୍କି ଟିକୁ ଯଥାଶୀଘ୍ର ଭାଙ୍ଗିବା ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି । ଆଉ କେବଳ ଦେଖିବାକୁ ବାକି ରହିଲା ଏଇ ବିପଦପୂର୍ଣ୍ଣ ପାଣି ଟାଙ୍କି ଉପରେ କେବେ ପ୍ରଶାସନର ଦୃଷ୍ଟି ପଡୁଛି ।

You might also like