Skip to content

ବନରକ୍ଷୀ ବିହୀନ କୁମ୍ଭାରପଡା ବିଟ୍ କାର୍ଯ୍ୟାଳୟ

ନୟାଗଡ ବନଖଣ୍ଡ, ଖଣ୍ଡପଡା ବନାଞ୍ଚଳ ଅଧୀନ କୁମ୍ଭାରପଡା ବିଟ୍ କାର୍ଯ୍ୟାଳୟରେ ରହୁନାହାଁନ୍ତି ବନରକ୍ଷୀ। ଏହାର ସୁଯୋଗ ନେଇ କାଠମାଫିଆ ମାନେ ନିର୍ଭୟରେ ବନାଞ୍ଚଳ ମଧ୍ୟରେ ପଶି ନିଜର ଆଧିପତ୍ୟ ଜାହିର କରିବା ସହିତ ମୂଲ୍ୟବାନ ଗଛ କାଟି ପଦା କରିଚାଲିଛନ୍ତି। ଗତ ରାତ୍ରିରେ କୁମ୍ଭାରପଡ଼ା ବନାଞ୍ଚଳ ମଧ୍ୟରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଳ କାଠ ମାଫିଆ ମାନେ ଚାଲାଣ କରିଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ।

ଧର୍ମକୁ ଆଖିଠାର ନ୍ୟାୟରେ ଆଜି ସକାଳୁ ବନବିଭାଗ କର୍ମଚାରୀ ମାନେ ବନାଞ୍ଚଳ ମଧ୍ୟରେ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ବନବିଭାଗ ପକ୍ଷରୁ ଦୈନିକ ପେଟ୍ରୋଲିଙ୍ଗର ବ୍ୟବସ୍ଥା ଥିଲେ ବି ଏହା କେବଳ ଲୋକଦେଖାଣିଆ ପାଲଟିଛି। ବନପାଳ ଓ ବନରକ୍ଷୀ କାର୍ଯ୍ୟାଳୟରେ ରହୁ ନଥିବାରୁ ଏଭଳି ଘଟଣା ଘଟୁଛି ବୋଲି ପରିବେଶବିତ୍ ମାନେ ମତପୋଷଣ କରିଛନ୍ତି। ଏସବୁ ଘଟଣା ସଂପର୍କରେ ଅଧିକାରୀ ମାନେ ଅବଗତ ଥିଲେ ମଧ୍ୟ ସେମାନଙ୍କ କଥା ବା ନିର୍ଦ୍ଦେଶକୁ କେହି ଖାତିର କରୁନାହାଁନ୍ତି। ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।