Skip to content

ବାଲାରସେନ ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଦଶପଲ୍ଲା: ଦଶପଲ୍ଲା ବ୍ଳକ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ବାଲାରସେନ ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରିଣୀ ଗୀତାଞ୍ଜଳି ସାହୁ, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, କନକ ନ୍ୟୁଜର ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥ, DSS ଶରତ ସାହୁ, IP ଅନିଲ କୁମାର ଦାସ, ଜିଲ୍ଲା ପରିଷଦ ସଦସ୍ୟ ବସନ୍ତ କୁମାର ପ୍ରଧାନ, ଘୋଳାହାଣ୍ଡି ସରପଞ୍ଚ ପ୍ରଦୀପ୍ତ ସ୍ୱାଇଁ, ମଧ୍ଯଖଣ୍ଡ ସରପଞ୍ଚ ସସ୍ମିତା ପ୍ରଧାନ, ଦଶପଲ୍ଲା ଅଞ୍ଚଳର ବିଶିଷ୍ଟ ଗାଳ୍ପିକ ହାଡିବନ୍ଧୁ ମହାଖୁଡ଼, ବିଦ୍ୟାଳୟର ପୂର୍ବତନ ସମ୍ପାଦକ ତଥା ଆଇନୀଜୀବୀ ଶରତ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ଦଶପଲ୍ଲା ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମନେ ଯୋଗଦେଇଥିଲେ। ସବୁଠାରୁ ବଡ଼ କଥା ପାତ୍ର ସାର ଅବସର ନେଉଥିବା ଖବର ପାଇ ଶହ ଶହ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିଥିଲେ। ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀଯୁକ୍ତ ପାତ୍ରଙ୍କ ବିଷୟରେ ଅତିଥି ମାନେ ପ୍ରଶଂସା ଗାନ କରିବା ସହ ଭବିଷ୍ୟତ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରିଥିଲେ। ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ସମଗ୍ର ଅଞ୍ଚଳରେ ବେଶ୍ ଜଣାଶୁଣା। ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ଶିକ୍ଷକ, ପୁରାତନ ଛାତ୍ର ସଂସଦର ବିଭିନ୍ନ ଛାତ୍ର ସାରଙ୍କ ଅଧ୍ୟୟନ ବେଳର କଥା ମନେ ପକାଇ ଲୁହ ଛଳ ଛଳ ଆଖିରେ ସେଦିନର ସ୍ମୃତିକୁ ପୁଣି ଥରେ ମନେ ପକେଇଥିଲେ। ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ଶିକ୍ଷକ ଶ୍ରୀଯୁକ୍ତ ପାତ୍ରଙ୍କୁ ସମ୍ମାନର ସହିତ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇଥିଲେ।  ଶୋଭାଯାତ୍ରାରେ ଗ୍ରାମର ଦ୍ୱାରେଦ୍ୱାରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଶିକ୍ଷକଙ୍କର ପଦବନ୍ଦନା କରୁଥିବା ଦେଖିବାକୁ ମିଳିଥିଲା। ପୁରାତନ ଛାତ୍ର ସଂସଦ ସଭାପତି ତଥା ଘୋଳାହାଣ୍ଡି ସରପଞ୍ଚ ପ୍ରଦୀପ୍ତ ସ୍ୱାଇଁ, ସମ୍ପାଦକ ଅନନ୍ତ ନାରାୟଣ ନନ୍ଦଙ୍କ ସହ ବହୁ ପୁରାତନ ଛାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ। ଉକ୍ତ ସଭାରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ଅବଶିଷ୍ଟ ଜୀବନ ସୁସ୍ଥ ଓ ନୀରୋଗ ରହିବା ପାଇଁ ପ୍ରାର୍ଥନା କରିଥିଲେ। ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପହାର ଓ ଉପଢ଼ୌକନ ପ୍ରଦାନ କରିଥିଲେ। ଏହି ଅବସରକାଳୀନ ସଭାରେ ବିଦ୍ୟାଳୟର ସହକାରୀ ଶିକ୍ଷକ ବିପିନ ଅମାତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ପ୍ରମୋଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Ad 1