ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଅନୁଭବ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି । ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା ଆସନରୁ ଟିକେଟ୍ ପାଇବା ନେଇ ଅନୁଭବ ଆଶାୟୀ ଥିଲେ ।ମାତ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ଅନୁଭବ ନିରାଶ ହୋଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।
ଏଥିରେ ସେ ଲେଖିଛନ୍ତି, ମୁଁ ଅତ୍ୟନ୍ତ ଦୁଃଖ ଓ ମର୍ମାହତ ସହିତ ଜଣାଇବାକୁ ଚାହୁଁଛି ଯେ, ମୋର ପରିବାର – ମୋର ପିତା ସ୍ବର୍ଗତ ଅରୁଣ ପଟ୍ଟନାୟକ, ୧୯୮୫ରୁ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ, ଏବଂ ମୋ ମା’ ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ତଥା ମୁଁ ବିଜୁ ଜନତା ଦଳର ଆରମ୍ଭରୁ ଦଳ ସହିତ ଜଡ଼ିତ ଅଛୁ ଦୀର୍ଘ ୪୦ ବର୍ଷ ଧରି ଖଣ୍ଡପଡ଼ାରେ ଦଳର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଆମ ପରିବାର ସର୍ବଦା ଚେଷ୍ଟିତ ରହିଛୁ । ପ୍ରତି ନିର୍ବାଚନରେ ଦଳକୁ ଜିତାଇବା ପାଇଁ ଆମେ ଅହରହ କାର୍ଯ୍ୟ କରି ଆସିଛୁ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ମୁଁ ବିଧାୟକ ଥିବା ସମୟରେ ଖଣ୍ଡପଡ଼ାର ସର୍ବାଙ୍ଗୀନ ଉନ୍ନତି କରିବା ସହିତ ବିଜୁ ଜନତା ଜଳକୁ ସୁଦୃଢ଼ କରିଛି । ଏଥିସହିତ ଗମ୍ଭୀର ଅଭିଯୋଗ ଆଣି ଅନୁଭବ କହିଛନ୍ତି, ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱ ସଦାସର୍ବଦା ତାଙ୍କୁ ଅସ୍ତ୍ର କରି ନିଜର ସ୍ୱାର୍ଥ ସାଧନ କରିଛନ୍ତି । ବର୍ଷ ବର୍ଷ ଧରି ଦଳରେ ରହିଲା ପରେ ବି, ଦଳ ଏକପ୍ରକାର ପକ୍ଷପାତିତା କରିଛି ବୋଲି ସେ କହିଛନ୍ତି