ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

,ତା୨.୮.୨୫ ଓଡ଼ଗାଁ ବ୍ଲକ୍ ଆଞ୍ଚଳିକ ସାଧନକେନ୍ଦ୍ର ମଶାବାରୀ ଅନ୍ତର୍ଗତ ପାନ୍ତିଖାରୀ ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଶାବାରୀରେ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଣତି ମଞ୍ଜରୀ ଶର୍ମା, ହୋମିଓପ୍ୟାଥିକ ଡାକ୍ତର ଦେବୀ ପ୍ରସାଦ ପଣ୍ଡା ଓ ପ୍ରକୃତିବନ୍ଧୁ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ ଉପସ୍ଥିତ ହୋଇ ପ୍ରଥମେ ଏକବୃକ୍ଷରେ ସମସ୍ତେ ଜଳଦାନ କରି ଠାକୁରଙ୍କ ନିକଟରେ ଧୂପ ଦୀପ ଅର୍ପଣ କରିଥିଲେ।ବିଦ୍ୟାଳୟର ଶିକ୍ଷାର୍ଥୀମାନେ ମୁଖସ୍ଥ ଶିବ ପଞ୍ଚାକ୍ଷର ମନ୍ତ୍ରଗାନ କରିଥିଲେ।ବରିଷ୍ଠ ଶିକ୍ଷୟିତ୍ରୀ ସୁରମା ଷଢଙ୍ଗୀ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ଡାକ୍ତର ଶର୍ମା ଶିକ୍ଷାର୍ଥୀଙ୍କୁ କଲେରା, ଡେଙ୍ଗୁ ଓ ମ୍ୟାଲେରିଆ ସମ୍ପର୍କରେ ବୁଝାଇବା ବେଳେ ଡାକ୍ତର ପଣ୍ଡା ସାପ କାମୁଡ଼ା,କୁକୁର, ବିଲେଇ, ନେଉଳ କାମୁଡା ବିଷୟରେ ବିଭନ୍ନ ଧାରଣା ପ୍ରଦାନ କରି ନିଜେ ସଚେତନ ହେବା ସହିତ ନିଜର ପଡୋଶୀମାନଙ୍କୁ କିପରି ସଚେତନ କରାଇବେ ସେବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶ୍ନୋତ୍ତର ମାଧ୍ୟମରେ ବୁଝାଇଥିଲେ ।

ସମସ୍ତ ଶିକ୍ଷାର୍ଥୀଙ୍କୁ ନିୟମିତ ଭାବେ କିପରି ହାତ ଧୋଇବା ଓ ରୋଗମୁକ୍ତ ରହିବା ତାହାର ସୋପାନ ଗୁଡିକୁ ଅଭ୍ୟାସ କରାଇଥିଲେ।ସବୁରି ମୂଳରେ ଗଛ ତା’ର ଯତ୍ନ ନେବା ଆମ ସଭିଙ୍କ ଦାୟିତ୍ୱ ମାଆ ପାଇଁ ଗଛଟିଏ ସମ୍ପର୍କରେ ଶ୍ରୀଯୁକ୍ତ ଦାଶ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ବିଦ୍ୟାଳୟର ସଂକ୍ଷିପ୍ତ ପରିବେଶ, ଜଳନିଷ୍କାସନର ଅସୁବିଧା ଏବଂ ପୁରାତନ ଭଙ୍ଗା ଗୃହଗୁଡ଼ିକୁ ଦେଖି ଅତିଥିମାନେ ଦୁଃଖ ପ୍ରକାଶ କରିଥିବା ବେଳେ ପରିବେଶର ପରିଚ୍ଛନ୍ନତା ଓ ଶିକ୍ଷାର୍ଥୀଙ୍କ ଶୃଙ୍ଖଳା ଦେଖି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସାଧୁବାଦ ଜଣାଇଥିଲେ। ଶିକ୍ଷକ ସତ୍ୟବାଦୀ ସାହୁ,ଶିକ୍ଷୟିତ୍ରୀ ଅର୍ଚ୍ଚନା ପାଣିଗ୍ରାହୀ ସ୍ୱଚ୍ଛତା ଆପଣେଇବା ଓ ନୀରୋଗ ରହିବାର ଶପଥ ପାଠ କାରାଇବା ବେଳେ ଶିକ୍ଷୟିତ୍ରୀ ପ୍ରଣତି ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

You might also like